
କେନ୍ଦ୍ରାପଡା ୨୦ା୬-ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି । ବର୍ଯ୍ୟବସ୍ତୁ, ଯାନବାହାନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି । ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ସମ୍ମିଳନୀ ହେବା ସହ ପ୍ରତି ଦେଶ ଦାୟିତ୍ୱବାନ ହେବାକୁ ପରାମର୍ଶ ଦିଆଯାଉଛି । ଏହିକ୍ରମରେ ଭାରତ ସରକାର ବୃକ୍ଷରୋପଣଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନେଉଥିବା କୁହାଯାଉଛି । ଅନୁରୂପ ଭାବେ ପ୍ରତି ରାଜ୍ୟ ସରକାର ମଧ୍ୟ ପରିବେଶ ସୁରକ୍ଷା ଉପରେ ଦାୟିତ୍ୱବାନ ଥିବାବେଳେ ପ୍ରତ୍ୟକ ଜିଲାରେ ବିଶ୍ୱ ପରିବେଶ ଦିବସରେ ଏସବୁ ଉପରେ ବିସ୍ତୃତ ଆଲୋଚନା ସହ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଉଛି । ବିଶ୍ୱ ପରିବେଶ ଦିବସ ପାଳନ ବେଳେ ଗଛ ନ କାଟି, ବହୁ ପରିମାଣରେ ଗଛ ଲଗାଇ ପରିବେଶକୁ ସୁରକ୍ଷା ରଖିବାକୁ ସଚେତନ କରାଯାଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଥିବା ୪ ଫୁଟ ଗୋଲେଇ ଦୁଇଟି ପୁରୁଣା ଗଛକୁ କାଟି ଜଣେ ବ୍ୟକ୍ତିକୁ ବିକ୍ରି କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ପ୍ରତକ୍ରିୟା ପ୍ରକାଶ ପାଇଛି । ପ୍ରକାଶ ଯେ ଗତ ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି । ମାତ୍ର ଏହାର ୭ ଦିନ ପରେ ପଟ୍ଟାମୁଣ୍ଡାଇ ଗ୍ରାମଉନ୍ନୟନ ବିଭାଗ କାର୍ଯ୍ୟଳୟ ପରିସର ସରକାରୀ ଜମିରୁ ପ୍ରାୟ ୫୦ବର୍ଷର ପୁରୁଣା ମସ୍ତବଡ ୨ ଟି ଦେବଦାରୁ ଗଛକୁ କରତ ଲଗାଇ ନିର୍ଭୟରେ କାଟି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲିପ ସେଠୀଙ୍କୁ ଯୋଗାଯୋଗ କରିବାରେ ସେପରି କୌଣସି ଅନୁମତି ତହସିଲ ଅଫିସରୁ ଯାଇନାହିଁ । ତେବେ ସରକାରୀ ଜାଗାରୁ କିପରି ସେମାନେ ଏତେବଡ଼ ଗଛକୁ କାଟିବାକୁ ସାହସ ଜୁଟାଇଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି । ସରକାରୀ ସ୍ଥାନରୁ ଗଛ କାଟିବା ପୂର୍ବରୁ ବନ ବିଭାଗର ଅନୁମତି ଜରୁରୀ । ଏହାବାଦ୍ ସରକାରୀ ଜମିରୁ ଯେଉଁ ଗଛ କଟା ହେବ, ତାହାକୁ ତହସିଲଦାର ନିଲାମ କରିବେ । ମାତ୍ର ତହସିଲଦାର ଏବିଷୟରେ ଜାଣି ନ ଥିବା ବେଳେ କିପରି ସେମାନେ ବିନା ଅନୁମତିରେ ଗଛ କାଟି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ପ୍ରକାଶଥାଉ କି ପଟ୍ଟାମୁଣ୍ଡାଇ ଅଂଚଳରେ କିଛିଦିନ ହେବ ଗଛକାଠ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ସରକାରୀବାବୁଙ୍କ ଜାଣତରେ ଏଭଳି ଘଟଣା ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହୋଇଆସୁଛି । ୨୦୨୨ ଅକ୍ଟୋବର ୨୩ରେ ତହସିଲଦାରଙ୍କ କ୍ୱାର୍ଟର୍ସ ନିକଟରୁ ୫ରୁ ଅଧିକ ମୂଲ୍ୟବାନ ଶିଶୁଗଛ ଦୁର୍ବୃତକାଟି ନେଇଥିଲେ । ପଟ୍ଟାମୁଣ୍ଡାଇ ତହସିଲଦାର ସବୁ ଜାଣି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ । ଏହି କାଠର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ । ସେହିଭଳି ବାଲିପାଟଣା ପଂଚାୟତ ଖଡ଼ିପାଳ ରାସ୍ତାରେ ପ୍ରାୟ ୫୦୦ରୁ ଅଧିକ ତାଳଗଛ ଦୁର୍ବୃତ କାଟି ନେଇଗଲେ । ସେହିପରି ଗତ ମାର୍ଚ୍ଚ ୩୦ ତାରିଖରେ ବାଇପାସ ନିକଟରୁ ବିଶାଳ ଚାକୁଣ୍ଡା ଗଛ କଟାହେ୍ାଇଥିଲା ମାତ୍ର ଏବେ ପର୍ଯ୍ୟନ୍ତ ବନବିଭାଗ ଓ ରାଜସ୍ୱ ବିଭାଗ ଚୁପ ବସିଥିବା ବେଳେ ଗତ ମଙ୍ଗଳବାର ୧୩ ତାରିଖ ଦିନ ଦୁଇଟି ବିଶାଳକାୟ ଦେବଦାରୁ ଗଛ କଟାହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଏହି ଗଛକଟାକୁ ନେଇ ରାଜନଗର ଡିଏଫଓ ସୁଦର୍ଶନ ୟାଦବଙ୍କୁ ପଚାରିବାରେ ଏ ବିଷୟରେ ମୁଁ ଅବଗତ ନାହିଁ ମାତ୍ର ସ୍ଥାନୀୟ ରେଞରଙ୍କୁ ପଠାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ଦିନକୁ ଦିନ ଜଙ୍ଗଲ କ୍ଷୟ ସାଙ୍ଗକୁ ଅବାଧ ଗଛକଟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ ବିଭୁତି ମହାପାତ୍ର । ସେ କହିଛନ୍ତି ନିକଟରେ ସଦ୍ୟ ସଦ୍ୟ ଯାଇଛି ପରିବେଶ ଦିବସ । ହେଲେ ଏଠାରେ ଯେଉଁଭଳି ବେଧଡକ ଗଛ କଟା ଚାଲିଛି ତାହା ପରିବେଶକୁ ବିପଦରେ ପକାଇବ । ଏତେ ପରିମାଣର ଗଛ କଟା ଯାଉଥିଲେ ସୁଦ୍ଧା ବନ ବିଭାଗ ଚୁପ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।