
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ୨୨ା୬-ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଁଚିବ । ଏହି ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ମାତ୍ର ଆଉ ଦିନ କେଇଟା ପରେ ଜୁଲାଇ ମାସ ଚାଲିବ । ଏ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଅଂଚଳରେ ଟୋପଏ ବି ବର୍ଷା ହେଉନାହିଁ । ଦିନ ବେଳା କଳାହାଣ୍ଡିଆ ମେଘ ଉଠାଉଛି ପରେ ଉଭେଇ ଯାଉଛି । ଅକ୍ଷୟ ତୃତୀୟାରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରି ଜମିରେ ଚାଷ ଅନୁକୂଳ କରାଯିବା ସହ ହଳ କରାଯାଇ କ୍ଷେତରେ ତଳି ପକା କାର୍ଯ୍ୟ ଆରମ୍ଭ ହୁଏ । ରଜ ଉତ୍ସବ ପାଳନ ପରେ ଚାଷୀ ଚାଷ କାର୍ଯ୍ୟରେ ଲାଗିପଡେ । ମାତ୍ର ଚଳିତ ବର୍ଷ ବର୍ଷା ଦେଖା ନଥିବା ବେଳେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଏଥିରୁ ବାହାରି ଥିବା ଶାଖା କେନାଲଗୁୁଡ଼ିକ ବର୍ଷା ଋତୁ ପରଠାରୁ ପାଣି ଛଡା ଯାଇନାହିଁ । ଚାଷ ଅନୁକୂଳକୁ ନେଇ ଆଶଙ୍କାରେ ଦିନ କାଟୁଛି ଚାଷୀକୂଳ ।
କେନ୍ଦ୍ରାପଡ଼ାର ଜିଲ୍ଲାର ଭାତ ହାଣ୍ଡି କୁହାଯାଇଥିବା ପଟ୍ଟାମୁଣ୍ଡାଇ ଉତିକଣ ଭେଡାର ଉତ୍ପାଦିତ ଧାନ କଟକ ସହ ରାଜ୍ୟର ବିଭିନ୍ନ ଜିଲାକୁ ଯୋଗାଣ ହେଉଥିଲା । କିନ୍ତୁ ଜଳବାୟୁର ପରିବର୍ତନ ସାଙ୍ଗକୁ ସଠିକ ଭାବେ କେନାଲରେ ପାଣି ଛଡା ନଯାଉଥିବାରୁ ପାଗ ଅନୁକୂଳ ନ ହେବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଆସୁଛି । ଚାଷୀମାନେ ଧାନ ଅମଳ କଲେ ପରିବାର ଚଳାଇବା ସହ ପିଲାଙ୍କ ପାଠପଢା, ଝିଅ ବାହାଘର ଓ ଋଣ ଶୁଝିବାରେ ଚାଷ ଉପରେ ନିର୍ଭର କରିଥାନ୍ତି । ପରିସ୍ଥିତି ଏପରି ହୋଇଛି ଆଉ ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ସମ୍ପୂର୍ଣ୍ଣ ଖରିଫ ଧାନ ଚାଷ ଉଜୁଡି ଯିବ । ପଟ୍ଟାମୁଣ୍ଡାଇ ଅଂଚଳର ପ୍ରାୟ ୮୦ ପ୍ରତିଶତ ଚାଷୀ ଖରିଫ ଧାନ ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଆସାଢ ମାସ ସରିବାକୁ ବସିଲାଣି । ମାତ୍ର ସ୍ୱଭାବିକ ବର୍ଷା ହୋଇପାରୁନି । ଜଳବାୟୁର ଏଭଳି ପରିବର୍ତନ ଏବେ ଚାଷୀକୁଳ ପାଇଁ କାଳ ସାଜିଛି । ଗତବର୍ଷ ଖରିଫ ଋତୁ ଆରମ୍ଭରୁ ସ୍ୱଳ୍ପ ବୃଷ୍ଟି କାରଣରୁ ରୁଆପୋତା ପାଇଁ ଚାଷୀ ପକାଇଥିବା ତଳି ପ୍ରଚଣ୍ଡ ରୌଦ୍ର ତାପରେ ଜଳି ନଷ୍ଟ ହୋଇଯାଇଥିଲା । ଚାଷୀ ବହୁ କଷ୍ଟ କରି ବ୍ୟାଙ୍କ ଋଣ ଓ ଗାଁ ସାହୁକାରଙ୍କଠାରୁ କରଜ ଆଣି ପୁଣି ତଳି ପକାଇ ବିଳମ୍ବରେ ରୁଆପୋତା କାର୍ଯ୍ୟ କରିଥିଲେ । ସ୍ୱଳ୍ପ ବୃଷ୍ଟି କାରଣରୁ ଅଣଜଳସେଚିତ ବହୁ ଚାଷଜମିରେ ରୁଆପୋତା କାର୍ଯ୍ୟ ହୋଇପାରି ନ ଥିଲା । କିନ୍ତୁ ପରବର୍ତୀ ସମୟରେ ଭଲ ବର୍ଷା ହେବା କାରଣରୁ ଯେଉଁ ସବୁ ଚାଷ ଜମିରେ ତଳି ରୁଆପୋତା ହୋଇଥିଲା, ସେଥିରେ ଭଲ ଫସଲ ଫଳି ଥିବାରୁ ଚାଷୀକୂଳ ଆନନ୍ଦରେ ଆତ୍ମ୍ହରା ହୋଇପଡିଥିଲା । କିନ୍ତୁ ଲଗାତର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଧାନ ବିଲରେ ଭଲ ଫସଲ ଫଳିଥିଲେ ହେଁ ୭୦ ଭାଗରୁ ଊର୍ଦ୍ଧ୍ୱ ଫସଲ ନଷ୍ଟ ହୋଇଯାଇଥିଲା । କରଜ କରି ଫସଲ କରିଥିବା ଚାଷୀକୂଳ ହତାଶ ହୋଇପଡିଥିଲେ । ଏବେ ଚାଷୀ ଆର୍ଥତ୍କ ଅନଟନରେ କାଳ କାଟୁଥିବା ଦେଖିବାକୁ ମିଳିଛି ।ପ୍ରାକୃତିକ ବିପର୍ଯ୍ୟୟ ସତ୍ୱେ ବହୁ ପରିଶ୍ରମ କରି ଚାଷୀ ୨୦ରୁ ୩୦ ଭାଗ ଧାନ ଚାଷଜମିରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ହେଲେ ସେଗୁଡିକୁ କୃଷି ସମବାୟ ଅଧୀନରେ ଖୋଲା ଯାଇଥିବା ମଣ୍ଡିରେ ମିଲ ମାଲିକମାନେ ଧାନର ମାନ ଠିକ୍ ନ ଥିବା କହି କିଣିବାକୁ ଅମଙ୍ଗ ହୋଇଥିଲେ । ଅନ୍ୟପକ୍ଷରେ ମୁନାଫାଖୋର ବ୍ୟବସାୟୀମାନେ କୁଇଂଟାଲ ପିଛା ୧୨ ଶହରୁ ୧୩ ଶହ ଟଙ୍କା ମୂଲ୍ୟରେ ଧାନ କିଣିବାରୁ ଧାନ ରୁଆପୋତାଠାରୁ ଅମଳ ପର୍ଯ୍ୟନ୍ତ ଚାଷରେ ଖର୍ଚ୍ଚ କରିଥିବା ବ୍ୟାପକ ଅର୍ଥ ଭରଣା କରିବାରେ ଚାଷୀ ସକ୍ଷମ ହୋଇନଥିଲା । ଅନ୍ୟପକ୍ଷରେ ଚଢା ଦାମରେ ସାର, କୀଟନାଶକ ଓଷଧ କିଣିବାଠାରୁ ଆରମ୍ଭ କରି ଧାନ ଅମଳ ପର୍ଯ୍ୟନ୍ତ ବ୍ୟାପକ ଅର୍ଥ ବ୍ୟୟ କରି ଚାଷୀକୂଳ ସର୍ବସ୍ୱାନ୍ତ ହୋଇପଡିଛନ୍ତି । ପୁଣି ଧାନ ଫସଲ ହରାଇଥିବା ଚାଷୀମାନେ ରବିଋତୁରେ ବ୍ୟାପକ ଜମିରେ ମୁଗ, ବିରି ଓ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ କରିଥିଲେ । କିନ୍ତୁ କେନାଲରେ ମୁଗ ପାଣି ନ ଅସିବା ପ୍ରାକୃତିକ ବିପର୍ଯ୍ୟୟ ଓ କାଳିମୁଖୀ ଏବଂ ଲାଙ୍ଗୁଡି ପୋକ ଫସଲ ସବୁ ଖାଇ ନଷ୍ଟ କରିଦେଲେ । ଧାନ ଚାଷର କ୍ଷତି ଭରଣା ପାଇଁ ଆଶା ବାନ୍ଧିଥିବା ଚାଷୀ ବେଡି ଉପରେ କୋରଡା ମାଡ ସଦୃଶ ଫସଲ ହରାଇ ଅଂଟା ସଳଖିବା ସମ୍ଭବ ହୋଇ ପାରି ନ ଥିଲା । ଏପରିସ୍ଥଳେ ଚଳିତ ବର୍ଷ ଖରିଫ ଋତୁ ଆରମ୍ଭ ହେବାକୁ ଆଉ ଅଳ୍ପଦିନ ବାକିଥିବାବେଳେ ସମସ୍ତ ପ୍ରତିକୂଳ ପରିବେଶକୁ ସାମନା କରି ଫସଲ କରିବାକୁ ଚାଷୀ ନିକଟରେ ସମ୍ବଳ ନାହିଁ । ଏଣୁ ବିଲରେ ରୁଆପୋତା କରିବାକୁ ବିହନ କିଣିବା, ଜମିକୁ ଚାଷ କରିବାକୁ ଟ୍ରାକ୍ଟର କିମ୍ବା ପାୱାରଟିଲର ଭଡା ଦେବା ସହ ଚଢା ମୂଲ୍ୟରେ ସାର ଓ କୀଟନାଶକ କିଟନାଷକ କିଣିବା ଚାଷୀମାନଙ୍କ ପକ୍ଷରେ ସମ୍ଭବ ନୁହେଁ । ତେଣୁ ରାଜ୍ୟ ସରକାର କୃଷି ବିଭାଗ ମାଧ୍ୟମରେ ମାଗଣାରେ ଉନ୍ନତମାନର ବିହନ ଓ ସବ୍ସିଡିରେ ସାର, କୀଟନାଶକ ଯୋଗାଇ ଦିଅନ୍ତୁ । ଏଥିସହ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଶାଖା କେନାଲ, ପାଟ୍ଟନାଳୀଗୁଡିକୁ ସଫେଇ କରିବା ସଙ୍ଗେ ସଙ୍ଗେ ଉଠାଜଳସେଚନ ପଏଂଟଗୁଡିକୁ କାର୍ଯ୍ୟକ୍ଷମ କରି ତ୍ୱରିତ ପାଣି ଛାଡିବା ପାଇଁ ପଦକ୍ଷେପ ନିଅନ୍ତୁ । ଏ ନେଇ ପଟ୍ଟାମୁଣ୍ଡାଇ ଅଂଚଳ ବିଜୟ ଦାସ, ସୁରେନ୍ଦ୍ର ପରିଡା, ରଞିତ ପ୍ରଧାନ, ପ୍ରଫୁଲ ତରାଇ, ଭିକାରି ବାଇ, ସୁଶାନ୍ତ ସାମଲ, ପ୍ରଭାକର ସେଠୀ, ଅଜୟ ନାୟକ, ଭରତ ବଳ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତିି ।