
କେନ୍ଦ୍ରାପଡ଼ା ୨୫/୬- ଆଡପ ମଣ୍ଡପରେ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କର ଆଜି ଥିଲା ହେରାପଞ୍ଚମୀ ନୀତି । ଏହି ଅବସରରେ ମହାପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରରେ ସମସ୍ତ ରୀତିନୀତି ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟୁଷରୁ ଶ୍ରୀଜିଉମାନଙ୍କ ପହୁଡ ଫିଟାଯାଇ ମଙ୍ଗଳା ଆଳତି କରାଯାଇଥିଲା । ପରେ ପାରମ୍ପରିକ ନୀତିସ୍ନାନ ଓ ଗୋପାଳ ବଲ୍ଲଭ ଧୂପ ବଢିଥିଲା । ଅପରାହ୍ନରେ ଦ୍ୱିପ୍ରହର ଧୂପ ଅନୁଷ୍ଠିତ ହୋଇ ଦିବା ପହୁଡ କରାଯାଇଥିଲା । ସଂଧ୍ୟ୍ୟାରେ ପହୁଡ ଫିଟିବା ପରେ ଶ୍ରୀଜିଉଙ୍କ ଉଠାଣି ଆଳତି ନୀତି ସମ୍ପନ କରାଯାଇ ସାହାଣମେଲା କରାଯାଇଥିଲା । ତୁହାକୁ ତୁହା ବର୍ଷା ସତ୍ତ୍ୱେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଭକ୍ତଙ୍କ ଭିଡ ଜମିଥିଲା । ରାତ୍ର ପ୍ରାୟ ୧୦ ବେଳକୁ ରାତ୍ର ଧୂପ ବଢିବା ପରେ ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା । ପରେ ବଡଦେଉଳରୁ ମହାଲକ୍ଷ୍ମୀ ସୁସଜ୍ଜିତ ମଣି ବିମାନରେ ବଡପଣ୍ଡା, ପଢିଆରିମାନଙ୍କ ସହିତ ଆଡପ ମଣ୍ଡପକୁ ଯାତ୍ରା କରିଥିଲେ । ମନ୍ଦିର କାର୍ଯ୍ୟାଳୟ ନିକଟରେ ପଂକ୍ତି ଭୋଗ ଅର୍ପଣ ହେଲା ପରେ ମା’ ଠାକୁରାଣୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିଦ୍ୟମାନ ବ୍ରହ୍ମତାଳଧ୍ୱଜ ରଥ ନିକଟକୁ ଆସିଥିଲେ । ସେଠାରେ ରଥ ପରିକ୍ରମା ପୂର୍ବକ ପଂକ୍ତିଭୋଗ ଲାଗି କରାଗଲାପରେ ଜଗମୋହନକୁ ବିଜେ କରୁଥିଲେ । ଇତ୍ୟବସରେ ତିନିଠାକୁରଙ୍କ ବଡସିଂହାର ବେଶ ସମ୍ପନ୍ନ ହୋଇଥିଲା ବଡବାଇ ଦେଢଶୁର ଶ୍ରୀବଳଦେବଜୀଉଙ୍କୁ ଆଡକରି ଲକ୍ଷ୍ମୀ-ନାରାୟଣ ଭେଟ ଅନୁଷ୍ଠିତ ହୋଇଥିଲା । ପରେ ମା’ ଲକ୍ଷ୍ମୀ ରଥ ନିକଟକୁ ଫେରି ପରମ୍ପରା ଅନୁସାରେ ରଥରୁ ଏକ କାଠ ଭାଙ୍ଗି ବଡଦେଉଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପରେ ଆଡପ ମଣ୍ଡପରେ ବଡସିଂହାର ଧୂପ ଅନୁଷ୍ଠିତ ହୋଇ ପଲଙ୍କଲାଗି ପୂର୍ବକ ପହୁଡ ବନ୍ଦ ହୋଇଥିଲା । ପ୍ରତୀକାତ୍ମକ ଭାବେ ମହାଲକ୍ଷ୍ମୀଙ୍କ ପକ୍ଷରୁ ରଥର ମୁଖ୍ୟ ମହାରଣା ରଥରୁ ଖଣ୍ଡେ କାଠ ଭାଙ୍ଗିଥିଲେ । ଆସନ୍ତାକାଲି ଭଙ୍ଗା ଯାଇଥିବା ରଥ କାଠକୁ ମରାମତି କରାଯିବ ।