କେନ୍ଦ୍ରାପଡାରେ ଇଦ୍‌-ଉଲ-ଜୁହା ପାଳିତ


କେନ୍ଦ୍ରାପଡା,୨୯ା୬- କେନ୍ଦ୍ରାପଡା ଜିଲ୍ଲା ସମେତ ସହରରେ ବସବାସ କରୁଥିବା ମୁସଲିମ ସଂପ୍ରଦାୟର ପର୍ବ ଇଦ୍‌-ଉଲ-ଜୁହା ପର୍ବ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ସହରର ବିଭିନ୍ନ ସ୍ଥାନରେ ଥିବା ମସଜିଦ ଓ ଇଦଘା ପଡିଆରେ ସାମୂହିକ ନମାଜ ପ୍ରାର୍ଥନା ସକାଳ ୭ଟା ରୁ ଆରମ୍ଭ ହୋଇ ୮.୩୦ ସୁଦ୍ଧା ଶେଷ ହୋଇଥିଲା । ଇସଲାମ ଧର୍ମର ମହାପୁରୁଷ ଇବ୍ରାହିମ ଆଲ୍ଲାଙ୍କ ସ୍ୱପ୍ନାଗତରେ ତାଙ୍କ ପୁତ୍ର ଇସମାଇଲଙ୍କୁ କୁର୍ବାନୀ ଦେଉଥିଲେ । ଏହି ସମୟରେ ପୁଅ ସ୍ଥାନରେ ଏକ ପଶୁ ଆସିଯିବାରୁ ତାକୁ କୁର୍ବାନୀ ଦେଇଥିଲେ । ଏହି କୁର୍ବାନୀକୁ ମନେପକାଇବା ପାଇଁ ଆଜିର ପର୍ବରେ ମୁସଲମାନ ସମ୍ପ୍ରଦାୟର ସଚଳ ପରିବାର ପଶୁକୁ କୁର୍ବାନୀ ଦେଇଥାନ୍ତି । ଏହି କୁର୍ବାନୀ ଉପରେ ଗରୀବ ଲୋକଙ୍କ ଅଧିକାର ଥାଏ । ଗରିବ ଲୋକମାନଙ୍କୁ କୁର୍ବାନୀ ଅଂଶ ପ୍ରଦାନ କରାଯାଇ ମହାପୁରୁଷ ଇବ୍ରାହିମଙ୍କୁ ସ୍ମରଣ କରାଯାଇଥାଏ ବୋଲି ସମାଜସେବୀ ଆକମଲ ଅଲ୍ଲୀ କହିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳନ କରାଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଥିଲା ।