ଅଦା ଦର ହୁ ହୁ ହୋଇ ବଢିଚାଲିଛି : କିଲୋ ପିଛା ୩ ଶହରୁ ୩୨୦ ଟଙ୍କାରେ ବିକ୍ରି କରୁଛନ୍ତି ବେପାରୀ


ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି । ବଜାରରେ ଅଦା ଦର ପଚାରିଲେ ଡ଼ର ଲାଗୁଛି । ବେପାରି କହୁଛନ୍ତି, କିଲୋ ପିଛା ଅଦା ଦର ୩ଶହରୁ ୩୨୦ ହେଲାଣି । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି । ବର୍ତ୍ତମାନ ପଟ୍ଟାମୁଣ୍ଡାଇ ବଜାରରେ ଅଦା ଦର କିଲୋ ପ୍ରତି ୩ ଶହରୁ ୩୨୦ ଟଙ୍କାରେ ବିକ୍ରି ହେଉଛି । ଦର ବୃଦ୍ଧି ଯୋଗୁ ଲୋକମାନେ ଅଦା ବ୍ୟବହାର କମେଇ ଦେଇଥିବା ଦେଖିବାକୁ ମିଳୁଛି । ବାହାର ରାଜ୍ୟରେ ଉତ୍ପାଦନ ହ୍ରାସ ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି ।କିଛି ଦିନ ମଧ୍ୟରେ କୋରାପୁଟରୁ ନୂତନ ଅଦା ଆସିବା ପରେ ଦର ହ୍ରାସ ପାଇବ ବୋଲି ବ୍ୟବସାୟୀ କହୁଛନ୍ତି ।ସୂଚନା ଅନୁସାରେ, ଦକ୍ଷିଣ ଓଡିଶାର କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ବହୁଳ ମାତ୍ରାରେ ଅଦା ଚାଷ ହୋଇଥାଏ । ତେଣୁ କଟକ ମାଲଗୋଦାମକୁ ଅଦା ଆସିବା ସହିତ କେନ୍ଦ୍ରାପଡା,ପଟ୍ଟାମୁଣ୍ଡାଇ ବଜାରକୁ ଦୈନିକ ୩/୪ ଟନ ଅଦା ଯୋଗାଣ କରାଯାଏ । ମାତ୍ର କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଅଦା ଚାଷ କରି ପେଟ ପୋଷୁଥିବା ଚାଷୀ, ଅମଳ ବେଳେ ଅଦା ସଂରକ୍ଷଣ ପାଇଁ ବ୍ୟବସ୍ଥା ନଥିବାରୁ ଚାଷୀ ବାଧ୍ୟ ହୋଇ କମ୍ ଦରରେ ବେପାରୀଙ୍କୁ ବିକ୍ରି କରି ଦେଉଥିଲେ । ଏବେ ବାହାର ରାଜ୍ୟରୁ ଅଦା ଆସୁଥିବାରୁ ଅଦା ଦର ଆକାଶଛୁଆଁ ହୋଇଛି |ପଟ୍ଟାମୁଣ୍ଡାଇରୁ ଅନ୍ୟ ବଜାର ଯଥା ରାଜନଗର,ବିଜୟନଗର,ବାବର ଆଦି ବଜାରକୁ ଅଦା ଯୋଗାଣ ହେଉଥିବା ବେଳେ ଏଠାରେ ଖାଉଟିମାନେ ଅଦା କିଲୋ ପ୍ରତି ୩ ଶହରୁ ୩୨୦ ଟଙ୍କା ଦରରେ କିଣୁଛନ୍ତି । ଖୁଚୁରା ୧୦୦ ଗ୍ରାମ ଅଦା କିଣିଲେ ୪୦ ଟଙ୍କା ଦେବାକୁ ପଡୁଛି । ପ୍ରକୃତପକ୍ଷେ ହୋଲସେଲ୍‌ରେ ଅଦା ଦର ଠାରୁ ଖୁଚୁରା ବ୍ୟବସାୟୀମାନେ ଏହାକୁ ପ୍ରାୟ ୨ଗୁଣା ଅଧିକ ଦରରେ ବିକ୍ରି କରୁଥିବାରୁ ଅଦା ଦର ଆକାଶଛୁଆଁ ହୋଇଛି । ଏହାଦ୍ୱାରା ଖାଉଟିମାନଙ୍କ ଉପରେ ସିଧାସଳଖ ପ୍ରଭାବ ପଡୁଛି ।ଏ ସମ୍ପର୍କରେ ଅଦା ହୋଲ୍‌ସେଲ୍‌ର ସରୋଜ ପାଢୀ କୁହନ୍ତି ପ୍ରାୟ ୫୦ ବର୍ଷ ମଧ୍ୟରେ ଅଦା ଦର ଏତେ ପରିମାଣରେ ବୃଦ୍ଧି ପାଇବା କେବେ ଦେଖି ନ ଥିଲି । ଏବେ ଆମେ ସାଧାରଣତଃ ମହାରାଷ୍ଟ୍ର , ଆସାମ, ସିଲିଗୁଡ଼ି ପ୍ରଭୁତି ରାଜ୍ୟରୁ ଅଦା ଆଣୁଛୁ । ଆମେ ୨ୟ ପକ୍ଷଙ୍କୁ ଅଦା ବିକ୍ରି କରୁଛୁ । ହେଲେ ସେମାନେ ୩ୟ ପକ୍ଷ ଅର୍ଥାତ ଛୋଟ ବ୍ୟବସାୟୀମାନଙ୍କୁ ବିକ୍ରି କରୁଛନ୍ତି । କିଛି ଦିନ ମଧ୍ୟରେ କୋରାପୁଟରୁ ନୂତନ ଅଦା ଆସିବା ପରେ ଦର ହ୍ରାସ ପାଇବ । ପ୍ରତ୍ୟେକ ବର୍ଷ ଆସାମରୁ ସିଲିଗୁଡ଼ି ଦେଇ ଅଦା ଆସିଥାଏ । ଅମଳ ସମୟରେ ଦର କମ୍ ଥିବାବେଳେ ଚଳିତ ଥର ବନ୍ୟା ଓ ବର୍ଷା ଫସଲ ନଷ୍ଟ କରିଦେଲା । ଯେଉଁଠାରେ ଚାଷ ହୋଇଛି ସେଠାରେ ଉତ୍ପାଦନ କମ୍ ରହିଛି ବୋଲି କହିଛନ୍ତି | କୋରାପୁଟ ଓ କନ୍ଧମାଳ ଜିଲ୍ଲାର ଶତ ପ୍ରତିଶତ ଚାଷୀ ଅଦା ଚାଷ କରୁଥିବା ବେଳେ କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ଅଦା ଚାଷ ପାଇଁ ସ୍ୱତନ୍ତ୍ର ପରିଚୟ ପାଇଛି । ହେଲେ ଅଦା ଚାଷ କରୁଥିବା ଚାଷୀ ସବୁ ବେଳେ କ୍ଷତି ସହୁଛନ୍ତି । ଚାଷ ସମୟରେ ନିଜ ପରିଶ୍ରମକୁ ୨୦ରୁ ୨୫ ଟଙ୍କା ହିସାବରେ ବେପାରୀଙ୍କ ହାତରେ ଟେକି ଦେଉଛନ୍ତି । ତେବେ କନ୍ଧମାଳ ଜିଲ୍ଲାରେ ଶାହ ଶହ ହେକ୍ଟର ଜମିରେ ବାର୍ଷିକ ପ୍ରାୟ ୩୦ରୁ ୩୫ ଶହ ମେଟ୍ରିକ ଟନ ଅଦା ଉତ୍ପାଦନ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଭଲ ଅମଳ ହୋଇଥିଲା । ହେଲେ ରଖିବାରୁ ଜାଗା ନଥିବାରୁ ଅଦା ନଷ୍ଟ ହୋଇଯିବା ଭୟରେ ଅମଳ ସମୟରେ ଖୁବ୍ କମ ଦରରେ ବେପାରୀକୁ ବିକ୍ରି କରି ଦେଇଛନ୍ତି ଚାଷୀ । ଅମଳ ବେଳେ ଯେଉଁ ଅଦା କିଲୋ ପ୍ରତି ୨୦ରୁ ୨୫ ଟଙ୍କା ଥିଲା, ତାହା ଏବେ ୨ ଶହ ଟଙ୍କାରେ ପହଂଚିଛି । ଚାଷୀଙ୍କ ଠାରୁ କମ୍ ଦରରେ କିଣି ନେଇଥିବା ଅଦାକୁ ଅଧିକ ଦରରେ ରାଜ୍ୟ ସମେତ ବାହାର ରାଜ୍ୟକୁ ପଠାଉଛନ୍ତି ବେପାରୀ । କୋରାପୁଟ ଓ କନ୍ଧମାଳ ଅଦାକୁ ଓଡ଼ିଶା ସମେତ ଛତିଶଗଡ଼, କର୍ଣ୍ଣାଟକ, ମୁମ୍ବେଇକୁ ରପ୍ତାନି କରାଯାଉଛି । ସଂରକ୍ଷଣର ବ୍ୟବସ୍ଥା ନଥିବାରୁ ଚାଷୀ ଫସଲର ଫାଇଦା ଉଠାଉଛନ୍ତି ବେପାରୀ ।