ଆଖିଧରା ରୋଗ ବ୍ୟାପିବାରେ ଲାଗିଛି


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ପୀଡ଼ିତ ରୋଗୀଙ୍କ ଆଖିରେ ଯନ୍ତ୍ରଣା ହେବା ସହ ଆଖି ନାଲି ପଡ଼ିଯାଉଛି । ଆଖିରୁ ପାଣି ଗଡୁଛି, ନେଞରା ନିର୍ଗତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏହି ରୋଗ ବାୟୁବାହିତ ବୋଲି ସାଧାରଣରେ ବିଶ୍ୱାସ ରହିଛି । ମାତ୍ର ଏସବୁ ଆଲୋଚନା, ଚର୍ଚ୍ଚା ଓ ଲୋକ ବିଶ୍ୱାସକୁ ଭୁଲ୍ ବୋଲି କହୁଛି ଡାକ୍ତରୀ ବିଦ୍ୟା ।
ଏ ସମ୍ପର୍କରେ ଡାକ୍ତରଙ୍କ ମତରୁ ଜଣାଯାଇଛି କି ଭୂତାଣୁ ସଂକ୍ରମଣ ଦ୍ୱାରା ଆଖିଧରା ରୋଗ ହୋଇଥାଏ । ଆଖିଧରା ବର୍ଷର ବହୁତ ସମୟରେ ଦେଖାଦେଇଥାଏ । ଯେମିତି ବର୍ଷାଋତୁ, ଶୀତଋତୁ, ଗ୍ରୀଷ୍ମଋତୁ ଆରମ୍ଭ ଇତ୍ୟାଦି । ଏହା ଗୋଟିଏ ଭୂତାଣୁଜନିତ ରୋଗ । ଏହା ଆମେ ସମସ୍ତେ ଜାଣିଛେ । ଏଥିରେ ଆଖି ନାଲିପଡ଼ିବା, ଫୁଲିଯିବା, ପାଣି ବାହାରିବା ଇତ୍ୟାଦି ଲକ୍ଷଣ ଦେଖାଯାଉଛି । ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖାଯାଉଛି ଯେ, ଜ୍ୱର, କାଶ, ଥଣ୍ଡା ଇତ୍ୟାଦି ରହୁଛି । ଆଖିର ଲୁହ ଏହି ରୋଗୀଙ୍କର ଯଦି ଅନ୍ୟ ସୁସ୍ଥ ଲୋକଙ୍କର ଆଖି, ନାକ ବା ମୁହଁ ଇତ୍ୟାଦି ସଂସ୍ପର୍ଶରେ ଆସେ, ତେବେ ସେଭଳି କ୍ଷେତ୍ରରେ ଆଖିଧରା ବ୍ୟାପିବାର ଅଧିକ ଆଶଙ୍କା ରହିଥାଏ । ଏହାଛଡ଼ା ଅପରିଷ୍କାର ହାତରେ ବାରମ୍ବାର ଆଖିକୁ ସ୍ପର୍ଶକଲେ ରୋଗ ହେବା ସମ୍ଭାବନା ବଢ଼ିଯାଇଥାଏ । ଆକ୍ରାନ୍ତଙ୍କ ଉପରେ ରୋଗର ପ୍ରଭାବ ସପ୍ତାହେବ୍ୟାପୀ ରହୁଥିବା ଲକ୍ଷ୍ୟ କରାଯାଉଛି । ଏହି ରୋଗ ନିୟନ୍ତ୍ରଣକୁ ଆଣିବାକୁ ହେଲେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱଦେବା ଆବଶ୍ୟକତା ରହିଛି । ବିଶେଷକରି ହାତ ଧୋଇବା ଦିଗରେ ଅଧିକ ଧ୍ୟାନଦେବାକୁ ପଡ଼ିବ । ରୋଗରେ ଆକ୍ରାନ୍ତ ବ୍ୟକ୍ତି ହାଇଜେନିକ୍ ଦିଗ ପ୍ରତି ଧ୍ୟାନଦେବାକୁ ହେବ । ବାରମ୍ବାର ସାବୁନରେ ହାତ ଧୋଇବା ସହ ଆଖିକୁ ଛୁଇଁବା ପୂର୍ବରୁ ହାତକୁ ସଫା କରିବାକୁ ହେବ । ଆଖିକୁ ପୋଛିବା ପାଇଁ ସଫା କପଡ଼ାକୁ ଓଦାକରି ବ୍ୟବହାର କରିବାକୁ ପଡ଼ିବ । ଆକ୍ରାନ୍ତ ରୋଗୀଙ୍କୁ ଆଖିରେ କଳାଚଷମା ବ୍ୟବହାର କରିବାକୁ ଡାକ୍ତରୀ ପରାମର୍ଶ ଦିଆଯାଉଛି । ଏଭଳି କରିବା ଦ୍ୱାରା ଆଖିକୁ ଖରାର ପ୍ରକୋପ ଓ ବାହ୍ୟ ଧୂଳିଧୂଆଁ ଦାଉରୁ ସୁରକ୍ଷା ମିଳିପାରିବ । ଆଖିକୁ ଥଣ୍ଡା ରଖିଲେ ରୋଗକୁ ନେଇ ଯନ୍ତ୍ରଣାରୁ ଉପଶମ ମିଳିଥାଏ । ଏହିଭଳି ଲକ୍ଷଣ ଥିବା ରୋଗୀଙ୍କୁ ଡାକ୍ତରୀ ଔଷଧ ଭାବରେ ଆଂଟିବାଓଟିକ୍ ଓ ଆଖି ଡ୍ରପ୍ ଔଷଧ ବ୍ୟବହାର କରିବାକୁ ଡାକ୍ତରମାନଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି ।
ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରିୟ ଚିକିତ୍ସା ଅଧିକାରୀ ଡା. ନିରାକାର ପାରିଡାଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ରୋଗକୁ ନେଇ କୌଣସି ବ୍ୟସ୍ତତା ରହିବା ଦରକାର ନାହିଁ । ରୋଗ ଅତ୍ୟନ୍ତ କ୍ଷତିକାରକ ନୁହେଁ । ଯଦି ଆଖି ନାଲି ପଡୁଛି, ପାଣି ବାହାରୁଛି, ତା’ହେଲେ ସଙ୍ଗେ ସଙ୍ଗେ ଚକ୍ଷୁ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ । ଅନ୍ୟମାନଙ୍କଠାରୁ ଦୂରେଇ ରୁହନ୍ତୁ । ନିଜେ ବ୍ୟବହାର କରୁଥିବା ରୁମାଲ୍‌, ତକିଆ ଇତ୍ୟାଦି ଅନ୍ୟ ସୁସ୍ଥ ଲୋକଙ୍କଠାରୁ ଦୂରେଇ ରଖନ୍ତୁ । ସତର୍କ ରହିଲେ ରୋଗ ବ୍ୟାପିବ ନାହିଁ, ନଚେତ୍ ଏହା ଚିନ୍ତା ବଢ଼ାଇବ । ତେଣୁ, ସାମାନ୍ୟ ସତର୍କତା ଅବଲମ୍ବନ କରିବ । ବାରମ୍ବାର ହାତ ଧୋଇବା, ଆଖିରେ ହାତ ନ ମାରିବା ଆଦି ସତର୍କତାକୁ ମାନି ଚଳିଲେ ଆମେ ବହୁମାତ୍ରାରେ ବିପଦମୁକ୍ତ ରହିପାରିବା । ଅନ୍ୟପଟେ ଯେଉଁମାନଙ୍କର ମୋତିଆବିନ୍ଦୁ, ଡାଇବେଟିସ୍ ରେଟିନୋପାଥି, କଳାମୋତିଆ ଇତ୍ୟାଦି ରୋଗ ରହିଛି ଏହି ଚକ୍ଷୁ ରୋଗୀମାନେ ଅଧିକ ସତର୍କତା ଅବଲମ୍ବନ କରିବା ସହିତ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶରେ ରହିବା ଜରୁରୀ । ନଚେତ୍ ରୋଗ ବଢ଼ିଯିବାର ଆଶଙ୍କା ରହିଛି ଏହା ଉପରେ ଧ୍ୟାନଦେବା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି ।