ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ, ଭୋଟରଙ୍କ ମନ ଜୟ ପାଇଁ ଗାଁ ମୁହାଁ ନେତା



ଆଉ ୧ ବର୍ଷ କମ୍ ସମୟ ରହିଛି ସାଧାରଣ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ନେତାମାନେ ତପତ୍ର ହୋଇଉଠିଲେଣି । ଏଭଳିସ୍ଥଳେ ପାନ ଦୋକନଠାରୁ ଆରମ୍ଭକରି ବାଟଘାଟରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, କାହା ଟିକେଟ୍ କଟିବ, କାହାର ରହିବ ଇତ୍ୟାଦି ଚର୍ଚ୍ଚା ଏବେ ଚାଲିଛି । ବିଭିନ୍ନ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଦଳୀୟ ନେତାଙ୍କ ନିକଟରେ ଆଶାୟୀଙ୍କ ଚଳପ୍ରଚଳ ବଢ଼ିଲାଣି । କଳେବଳେ କୌଶଳେ ଭୋଟରଙ୍କ ମନ ଜୟ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରଲୋଭନ ଦେଖାଇବା ସହିତ ଗାଁ ମୁହାଁ ହେଲେଣି । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନୀ ବାତାବରଣ ଉଷ୍ମ ହେବାକୁ ଲାଗିଲାଣି ।
ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଂଚାୟତ ଓ ପୌରାଂଚଳ ଏବଂ ରାଜନଗର ବ୍ଲକର ୨୯ଟି ପଂଚାୟତକୁ ନେଇ ନୂତନ ରାଜନଗର ନିର୍ବାଚନମଣ୍ଡଳୀ ଗଠନ କରାଯାଇଛି । ରାଜନଗର ନିର୍ବାଚନ ମଣ୍ଡଳୀ ମହାକାଳପଡା ସହମସିଥିବା ବେଳେ ଲଗାତର ୭ଥର ନିର୍ବାଚିତ ହୋଇ ପୂର୍ବତନମନ୍ତ୍ରୀ ସ୍ୱର୍ଗତଃ ନଳିନୀକାନ୍ତ ମହାନ୍ତି ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିଲେ । ସୀମା ପୁନଃନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ଭାଗ କରି ପଠ୍‌ଟାମୁଣ୍ଡାଇର ୧୯ଟି ପଂଚାୟତ ଓ ପୌରାଂଚଳ ରାଜନଗରରେ ମିଶିବା ସହିତ, ୧୨ ଟି ପଂଚାୟତକୁ କେନ୍ଦ୍ରାପଡା ଏବଂ ଅନ୍ୟ ୧୦ଟି ପଂଚାୟତକୁ ଆଳି ନିର୍ବାଚନମଣ୍ଡଳୀରେ ମିଶାଇ ଦିଆଗଲା । ୧୯୬୭ ମସିହାରୁ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଆସନ ସଂରକ୍ଷିତ ହୋଇଥିଲା । ଏହା ପୂର୍ବରୁ ଯୁଗ୍ମ ନିର୍ବାଚନ ମଣ୍ଡଳୀ ଥିଲା । ୧୯୬୭ ରେ ପ୍ରଥମ ବିଧାନସଭା ନିର୍ବାଚନରେ ଏଠାରୁ ବିଶ୍ୱନାଥ ମଲ୍ଲିକ (ପ୍ରଜା ସମାଜବାଦୀ ପାର୍ଟି)ରୁ ନିର୍ବାଚିତ ହୋଇଥିବାବେଳେ ୧୯୭୧ରେ ପ୍ରହଲ୍ଲାଦ ମଲ୍ଲିକ (ଉତ୍କଳ କଂଗ୍ରେସ), ୧୯୭୪ରେ ବିଶ୍ୱନାଥ ମଲ୍ଲିକ (ଜାତୀୟ କଂଗ୍ରେସ), ୧୯୭୭ରେ ତାପସ ଦାସ (ଜନତା ଦଳ), ୧୯୮୦ରେ ବିଶ୍ୱନାଥ ମଲ୍ଲିକ (କଂଗ୍ରେସ-ଆର୍ଇ), ୧୯୮୫ ରେ ଗଣେଶ୍ୱର ବେହେରା (କଂଗ୍ରେସ), ୧୯୯୦ରେ ରାଧାକାନ୍ତ ସେଠୀ (ସିପିଏମ ) ୧୯୯୫ରେ ଗଣେଶ୍ୱର ବେହେରା (କଂଗ୍ରେସ) ,୨୦୦୦ ରେ ତାପସ ଦାସ (ବିଜେଡି), ୨୦୦୪ରେ କିଶୋର ତରାଇ ନିର୍ବାଚିତ ହୋଇଥିଲେ । ପରବର୍ତି ସମୟରେ ୨୦୦୯ ନିର୍ବାଚନ ବେଳକୁ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀକୁ ଉଛେଦ କରାଗଲା । ରାଜନଗର ଆସନ ମହାକାଳପଡା ସହ ଥିବା ବେଳେ ପୂର୍ବତନମନ୍ତ୍ରୀ ସ୍ୱର୍ଗତଃ ନଳିନୀକାନ୍ତ ମହାନ୍ତି ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିଲେ । ସୀମା ପୁନଃନିର୍ଦ୍ଧାରଣ ପରେ ୨୦୦୯ ମସିହାରେ ଅନୁଷ୍ଠିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଲେଖ କୁମାର ଜେନା କଂଗ୍ରେସ ପ୍ରାର୍ଥୀ ସ୍ୱର୍ଗତଃ ନଳିନୀ ମହାନ୍ତିଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ । ନଳିନୀଙ୍କ ଆବର୍ତମାନରେ ୨୦୧୪ ମସିହାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବରେ ତାଙ୍କ ସୁପୁତ୍ର ଯୁବନେତା ଅଂଶୁମାନ ମହାନ୍ତି ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ପରାସ୍ତ କରି ନିର୍ବାଚିତ ହେବା ସହିତ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ମାତ୍ର ପରବର୍ତି ନିର୍ବାଚନ ୨୦୧୯ ରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ବିପୁଳ ଭୋଟରେ ପରାସ୍ତ କରି ବର୍ତମାନ ବିଧାୟକ ଅଛନ୍ତି । ତେବେ ୨୦୨୪ ନିର୍ବାଚନରେ ରାଜନଗର ଆସନ ଦଖଲ ପାଇଁ ଶାସକ ବିଜେଡି, ବିରୋଧୀ କଂଗ୍ରେସ ଓ ଭାଜପା ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିବା ସହିତ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି । ବିଜେଡି ପକ୍ଷରୁ ବର୍ତମାନର ବିଧାୟକ ଧ୍ରୁବ ସାହୁ ପୁନଃରାୟ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇ ବୋଲି ଗତ ରବିବାର ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାୟକ ଧ୍ରୁବ ସାହୁଙ୍କୁ ଆଗାମୀ ନିର୍ବାଚନରେ ପୁନର୍ବାର ବିପୁଳ ଭୋଟରେ ବିଜୟୀ କରିବାକୁ ଆହ୍ୱାନ ଦେବା ସହିତ ନିର୍ବାଚନୀ ମନ୍ତ୍ର ଦେଇଦେଇଥିଲେ । ପ୍ରାରମ୍ଭରୁ ରାଜନଗର ନିର୍ବାଚନ ମଣ୍ଡଳୀରେ ଦ୍ୱୀମୁଖି ଲଢେଇ ହେଉଥିବାବେଳେ ୨୦୦୯ ରେ ତ୍ରୀମୁଖି ଲଢେଇରେ ଭାଜପା ଯୋଗ ହୋଇଥିଲେ । ୨୦୧୯ରେ ବିଜେଡିରୁ ଧ୍ରୁବ ସାହୁ ୭୮,୯୨୬ ଭୋଟ ଏବଂ କଂଗ୍ରେସରୁ ଅଂଶୁମାନ ମହାନ୍ତି ୬୦,୫୧୮ ଓ ଭାଜପାରୁ ଅଲେଖ ଜେନା ୨୬,୬୮୩ ଖଣ୍ଡ ଭୋଟ ହାତେଇବାକୁ ସକ୍ଷମ ହୋଇଥିଲେ । ଏହାପୂର୍ବରୁ ୨୦୧୪ ରେ ଅଂଶୁମାନ ୫୪୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ୨୦୧୯ ରେ ୧୮,୪୦୮ ଭୋଟ ବ୍ୟବଧାନରେ ହାରିଥିଲେ । ଅନ୍ୟପକ୍ଷରେ ଗତ ୫ ବର୍ଷ ମଧ୍ୟରେ ରାଜନଗରର ରାଜନୀତିରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି । ଖାସକରି ଗତ ପଂଚାୟତ ନିର୍ବାଚନରେ ରାଜନଗରର ୬ଟି ଜିଲ୍ଲା ପରିଷଦ ଜୋନରୁ ୬ଟିରେ ବିଜେଡି ବାଜି ମାରିଛି । କିନ୍ତୁ କଂଗ୍ରେସ କି ଭାଜପା ଦଳ ଏଠାରେ ଖାତା ଖୋଲିପାରିନାହିଁ । ଏହାକୁ ନେଇ କଂଗ୍ରେସ ଓ ଭାଜପା ଦଳ ନେତାଙ୍କ ମଧ୍ୟରେ ଭିନ୍ନ ଚିନ୍ତାଧାର ଉପୁଜୁଛି ବିଜେଡି ଟିକେଟରୁ ପୁଣିଥରେ ନିର୍ବାଚନ ମୈଦାନକୁ ବିଧାୟକ ଧ୍ରୁବ ସାହୁ ଓହ୍ଳାଇବେ ବୋଲି ଏକରକମ ସ୍ପଷ୍ଟ ହୋଇଯାଇଛି । ତେବେ ବିଜେଡିପାଇଁ ଚିନ୍ତାର କାରଣ ପାଲଟିପାରନ୍ତି ଦଳରେ ଥିବା ଅସନ୍ତୁଷ୍ଟ କର୍ମୀ । ବିଧାୟକ ନୂଆ କର୍ମୀଙ୍କୁ ଗୁରୁତ୍ୱ ଦେଉଥିବା ବେଳେ ପୁରୁଣା କର୍ମୀ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେଡି ପ୍ରାର୍ଥୀ ପାଇଁ ହେବିୱେଟ ନେତା ସାମ୍ନାକୁ ଆସିଲେଣି । ରାଜନଗରର ନିର୍ବାଚନମଣ୍ଡଳୀ ବିଜେଡି ରେସରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ ମଧ୍ୟ ରାଜନଗରରୁ ପ୍ରାର୍ଥୀ ହେବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି । ଯେହେତୁ ଏହି ନିର୍ବାଚନମଣ୍ଡଳୀ ପୂର୍ବରୁ ଅଣକଂଗ୍ରେସ ଗଡ ଭାବେ ଟ୍ୟାଗ୍ ହାସଲ କରିଥିଲା ତେଣୁ ବିଜେଡି ବିଜୟ ସମ୍ଭାବନା ଓ ଲୋକପ୍ରିୟତା ଥିବା ପ୍ରାର୍ଥୀଙ୍କୁ ଏଠାରୁ ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି ।ସେହିଭଳି ରାଜନଗର ଭାଜପାରେ ନେତା ଅଧିକ କର୍ମୀ କମ ବୋଲି ଚର୍ଚ୍ଚା ହେଉଛି । କାରଣ ଏହି ଆସନରେ ଲଢିବାକୁ ପାଖାପାଖି ୧୦ ଜଣ ପ୍ରାର୍ଥୀ ଟିକେଟ ରେସରେ ରହିଛନ୍ତି । ତେବେ ବିଜେପିର ପୂବର୍ତନ ବିଧାୟକ ଅଲେଖ ଜେନା ଏହି ଆସନ ପାଇଁ ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି । ଏହାଛଡା ଅଜୟ କୁମାର ବେହେରା, ଶଶିକାନ୍ତ ସ୍ୱାଇଁ, ଲଳିତ ବେହେରା, ସଂଜୟ ସାହୁ, ସଦାଶିବ ଜେନା ରଶ୍ମି ରଂଜନ ପ୍ରଧାନ, ଦେବବ୍ରତ ମହାନ୍ତି ପ୍ରମୁଖ ପ୍ରାର୍ଥୀ ଦୌଡ଼ରେ ରହିଛନ୍ତି । ତେବେ ଏଠାରେ ଭାଜପାରେ ଥିବା ଅନ୍ତକନ୍ଦଳ ଦଳକୁ ଅଡୁଆରେ ପକାଇବ । ଖାସକରି ଏଠାରେ ନୂଆ -ପୁରୁଣା ଭାଜପା ମଧ୍ୟରେ ଅନ୍ତକନ୍ଦଳ ଉଗ୍ର ରୂପ ଧରିଛି । ଯାହାର ଝଲକ କେନ୍ଦ୍ରମନ୍ତ୍ରୀ ବିଶ୍ୱସ୍ୱର ଟୁଡୁଙ୍କ ଗସ୍ତ ସମୟରେ ଦେଖିବାକୁ ମିଳିଥିଲା । ଟୁଡୁଙ୍କ ଉପସ୍ଥିତିରେ ସକ୍ରିଟ ହାଉସରେ ଭାଜପା କର୍ମୀ ପରସ୍ପରକୁ କାଦୁଅ ଫିଙ୍ଗିବା ଘଟଣା ଘଟାଇବାକୁ ପଛାଇ ନଥିଲେ ।୨୦୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ତିନି ଦଳ ଓ ଆଶାୟୀ ପ୍ରାର୍ଥୀ । ୨୦୧୯ରେ ବିଜେଡିରୁ ବିଧାୟକ ଧ୍ରୁବ ସାହୁ ଏହା ଭିତରେ ନିଜର ସଙ୍ଗଠନକୁ ସୁଦୃଢ କରିବାରେ ଲାଗିପଡିଛନ୍ତି । ଏପରିକି ରାଜନଗର ନିବାର୍ଚନମଣ୍ଡଳୀରେ ‘ଧ୍ରୁବ’ ତାରା ଭଳି ଚମକିବାକୁ ଜୋର ଲଗାଇ ଦେଇଛନ୍ତି । ଅନ୍ୟପଟେ କଂଗ୍ରେସ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି ମଧ୍ୟ ଭୋଟରଙ୍କ ପାଖରେ ପହଁଚିିବା ସହ ସେମାନଙ୍କର ମନ ଜିଣିବାରେ ଆଦୌ ହେଳା କରୁନାହାନ୍ତି । ତେଣୁ ଚଳିତ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ନୂଆ ବିଧାୟକ ବାଛିବାର ଇତିହାସ ବଦଳିବ ନା ଜାରି ରହିବ । ଖାସକରି ରାଜନଗର ପୋଖରୀରେ ପ୍ରଥମ ଥର ପାଇଁ ଫୁଟିବ କି ପଦ୍ମ ନା ବିଜେଡି ‘ହାତ’ରୁ ଖସିଯିବ ରାଜନଗର ଗଡ ନା କଂଗ୍ରେସ ପୁଣିଥରେ କରିବ କି କମବ୍ୟାକ ଏଭଳି ପ୍ରଶ୍ନ ଏବେ ଭୋଟରଙ୍କ ମଧ୍ୟରେ ଉଙ୍କି ମାରୁଛି ।