ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀ ପାଳନ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରେକ୍ଷାଳୟ ପରିସରରେ ରବିବାର  ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ପାୟଲ୍ ମ୍ୟୁଜିକ୍ ସ୍କୁଲର ମିଳିତ ସହଯୋଗରେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ୧୨୨ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅନୁଷ୍ଠାନର ସ୍ଥାୟୀ ସଭାପତି ଶିକ୍ଷାବିତ ନୀଳମାଧବ ପତି ଅଧ୍ୟକ୍ଷତା କରିଥିବାବେଳେ ପ୍ରତିଷ୍ଠାତା/ସମ୍ପାଦକ ଶ୍ରୀ ଦେବାଶିଷ ସାମଲ ଅତିଥିମାନଙ୍କୁ ମଂଚକୁ ସ୍ୱାଗତ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ ମହାନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ପବିତ୍ର ପଟ୍ଟନାୟକ ତାଙ୍କର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମାନସ ପଣ୍ଡା,ବରିଷ୍ଠ ଯୁବ ସାମ୍ବାଦିକ ଯୋଗଦେଇ ହରିଚନ୍ଦନ ଜନ୍ମଗ୍ରହଣ ଠାରୁ ଶ୍ରୀକ୍ଷେତ୍ରରେ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଜୀବନାଦର୍ଶ ସମ୍ପର୍କରେ ବିସ୍ତୃତ ବିବରଣୀ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥିଭାବେ ଦ୍ୱିତୀୟ ବାଣୀକଣ୍ଠ ଭାବେ ପରିଚିତ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦୁଃଖିଶ୍ୟାମ ତ୍ରିପାଠୀ ସଙ୍ଗୀତ ପରିବେଷଣ ମାଧ୍ୟମରେ ହରିଚନ୍ଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସଙ୍ଗୀତକୁ ବିଶ୍ୱ ଦରବାରରେ ପହଁଚାଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ନିଜର ବକ୍ତବ୍ୟ ମତ ପୋଷଣ କରିଥିଲେ । ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ନାତି ତଥା ବିଶିଷ୍ଟ ଆଇନଜ୍ଞ ଶ୍ରୀଯୁକ୍ତ ପ୍ରଣୟ କିଶୋର ହରିଚନ୍ଦନ ଜେଜେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଚାମର ସେବା କରିବାର ସୁଯୋଗ ମିଳିଥିଲା ବୋଲି ପରିପ୍ରକାଶ କରିଥିଲେ । ଶ୍ରୀ ମନ୍ଦିରର ଅବସରପ୍ରାପ୍ତ ଉପପ୍ରଶାସକ ଶ୍ରୀଯୁକ୍ତ ସୁଖ ରଞ୍ଜନ ବୋଷ ଗଜପତି ମହାରାଜା ତଥା ହରିଚନ୍ଦନଙ୍କ ସମ୍ପର୍କରେ ସଂକ୍ଷିପ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶରତ ନାୟକଙ୍କୁ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ “ସ୍ମୁତି ସମ୍ମାନ-୨୦୨୩” ପ୍ରଦାନ କରାଯାଇଥିଲା । ଇତ୍ୟବସରରେ ପ୍ରକାଶ କୁମାର ଜେନା ମାନପତ୍ର ପାଠ କରିଥିବାବେଳେ ସମାଜସେବୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଭାସାଙ୍ଗ ପରେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଦୁଃଖିଶ୍ୟାମ ତ୍ରିପାଠୀ ଓ ତାଙ୍କ ସୁପୁତ୍ର ଯୁବ କଣ୍ଠଶିଳ୍ପୀ ଶିବାନନ୍ଦ ତ୍ରିପାଠୀ ,ଗୁରୁଶ୍ରୀ ରବୀନ୍ଦ୍ର ନାଥ ମିଶ୍ର,ପାୟଲ୍ ମ୍ୟୁଜିକ୍ ସ୍କୁଲର ସଙ୍ଗୀତଗୁରୁ ଭାସ୍କର ଚନ୍ଦ୍ର ବେହେରା ଓ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଙ୍ଗୀତଭିତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ଦେବାଶିଷ ସାମଲ ଅନୁଷ୍ଠାନ ତରଫରୁ ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।