ଜିଲ୍ଲାର ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର


କେନ୍ଦ୍ରାପଡା ଜିଲ୍ଲା ୬୬୨ ବର୍ଗ (ଯୁକ୍ତଦୁଇ ଓ ଯୁକ୍ତତିନି) ମହାବିଦ୍ୟାଳୟ ସଂଘ ତରଫରୁ ଅଧ୍ୟାପକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହିତ ସେମାନଙ୍କ ପ୍ରତି ହୋଇଥିବା ପାତରଅନ୍ତର ନୀତି ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବିଗୁଡିକ ହେଉଛି ୬୬୨ ଓ ୪୪୮ ବର୍ଗର ସମାନ ଧାରାରେ କାର୍ଯ୍ୟ କରୁଥିବା ଅଧ୍ୟାପକମାନଙ୍କ ଦରମା ୨୦୨୧ ମସିହାରେ ଡିସେମ୍ବର ମାସ ୨୩ ତାରିଖରେ ସମାନ କରାଯାଇଥିଲା । ଏହି ଦୁଇବର୍ଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ପ୍ରାୟ ଏକବର୍ଷ ଧରି ସମାନ ଦରମା ପାଉଥିବାବେଳେ ୨୦୨୩ ମସିହା ଜାନୁୟାରୀ ମାସରେ ୬୬୨ ବର୍ଗର ଅଧ୍ୟାପକ/ଅଧ୍ୟାପିକାମାନଙ୍କର ଦରମା ୪୪୮ ବର୍ଗର ଅଧ୍ୟାପକ/ଅଧ୍ୟାପିକାମାନଙ୍କଠାରୁ ୧୦ହଜାର ଟଙ୍କା କମାଇ ଦିଆଯାଇଛି । ଏହା ବିରୋଧରେ ଗତ ଫେବୃୟାରୀ ୧୩ ତାରିଖଠାରୁ ୬୬୨ ବର୍ଗ ଅଧ୍ୟାପକ/ଅଧ୍ୟାପିକାମାନଙ୍କର ଏହି ଦାବି ପୂରଣ ପାଇଁ ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଚାଲୁରହିଛି । ସେହି ଦାବିଗୁଡିକ ହେଉଛି ୨୦୦୮ ଜି.ଓ.ରେ ଦରମା ପାଉଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ୨୦୦୯ ଜି.ଓ.ରେ ଦରମା ପାଉଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କ ସହିତ ଗ୍ରେଡ୍ ପେ’ ଅନୁଯାୟୀ ସମାନ କାମକୁ ସମାନ ଦରମା ପ୍ରଦାନ କରାଯିବା, ଅବସର ନେଇଥିବା ସମସ୍ତ କର୍ମଚାରୀଙ୍କୁ ପେନସନ ଓ ଅବସରକାଳୀନ ରାଶି ପ୍ରଦାନ କରାଯିବା ଓ ୨୦୧୮ ଜି.ଓ.ରେ ଦରମା ପାଉଥିବା କର୍ମଚାରୀଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ କରାଯିବା ଓ ବିଭିନ୍ନ ଅସଂଗତିରେ ବାଦ୍ ପଡିଥିବା ୨୦୦୮ ଓ ୨୦୧୪ ଜି.ଓ.ର କର୍ମଚାରୀମାନଙ୍କୁ ଅନୁଦାନର ପରିସରଭୁକ୍ତ କରାଯିବା । ସଂଘର ସଭାପତି ଅଧ୍ୟାପକ ବସନ୍ତ କୁମାର ମିଶ୍ର, ଅଧ୍ୟାପକ ରସାନନ୍ଦ ମହାନ୍ତି, ବିଳାସ ଦାସ, ଅଭିନ୍ନ ସ୍ୱାଇଁ, ଗଦାଧର ବେହେରା, ପ୍ରଦୀପ ଜେନା, ବିକାଶ ଚନ୍ଦ୍ର ସ୍ୱାଇଁଙ୍କ ସହିତ ଶତାଧିକ ଅଧ୍ୟାପକ/ଅଧ୍ୟାପକା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଗାନ୍ଧୀମାର୍ଗସ୍ଥିତ ଆନ୍ଦୋଳନରେ କୌଣସି ସୁଫଳ ମିଳୁନଥିବାରୁ ଏହାର ପ୍ରତିବାଦ ସ୍ୱରୂପ ୩୦ଟି ଜିଲ୍ଲା ସହିତ କେନ୍ଦ୍ରାପଡା ଜିଲ୍ଲାରେ ଆଜି ଏହି ପ୍ରତିବାଦ କରାଯାଇଛି ।