କୃଷି ଉତ୍ପାଦ ପାଇଁ ଜଳ ପରିଚାଳନା ବଡ଼ ସମସ୍ୟା,ସ୍ଥାଣୁ ପଲିଟିଛି ଦୁଇ ବିଭାଗ


କୃଷି ଆମର ଅର୍ଥନୀତିର ମୂଖ୍ୟ ଆଧାର । ଆମ ରାଜ୍ୟ ଏକ କୃଷି ଭିତିକ ରାଜ୍ୟ ହୋଇଥିବା ବେଳେ ବହୁଲୋକ କୃଷି ଉପରେ ନିର୍ଭରଶୀଳ । ରାଜ୍ୟର ବିକାଶ କ୍ଷେତ୍ରରେ କୃଷିର ଅଭିବୃଦ୍ଧି ମୂଖ୍ୟ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି । କୃଷିର ଅଭିବୃଦ୍ଧି ହାରରେ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଆମ ରାଜ୍ୟର ଅଧିକାଂଶ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାରୁ ଜଳର ଉପଯୁକ୍ତ ପରିଚାଳନା ପାଇଁ ଜଳସେଚନ ପ୍ରକଳ୍ପ ମାନ ଗଠନ କରାଯାଇଛି । ମାତ୍ର କେନ୍ଦ୍ରାପଡ଼ା ଜିଲାରେ କୃଷି ଉତ୍ପାଦ ପାଇଁ ଜଳ ପରିଚାଳନା ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ଜଳସୋଚିତ ଚାଷ ଜମି ଥାଇ ମଧ୍ୟ ଅଧିକାଂଶ ଚାଷ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ସେହିପରି ବର୍ଷା ଓ ବନ୍ୟା ସମୟରେ କ୍ଷେତରୁ ଜଳ ନିଷ୍କାସନ ନ ହେବାରୁ ଫସଲ ନଷ୍ଟ ହେଉଛି । ଏହାବ୍ୟତୀତ ସାମୁଦ୍ରିକ ଝଡ଼ ମଧ୍ୟ ଜିଲ୍ଲାକୁ ସର୍ବଦା ଲାଗି ରହିଛି । ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବେଶ ସହାୟକହେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ଅଣଋଣୀ ଚାଷୀଙ୍କୁ ଏଥିରେ ସାମିଲ କରି ବୀମା ଅର୍ଥ ଯୋଗାଇ ଦେବାରୁ ପ୍ରଶାସନ ବିଫଳ ହୋଇଛି । ଜିଲା କୃଷି ବିଭାଗ ତଥ୍ୟ ଅନୁଯାୟୀ, ୨୦୨୩ ଖରିଫ ଧାନ ଫସଲ ପାଇଁ ମୋଟ ୧ଲକ୍ଷ ୫୨ ହଜାର ହେକ୍ଟର ଜମିରେ ଚାଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଜିଲାରେ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ଏଥିରେ ସାମିଲ ହେଉଥିଲେ ମଧ୍ୟ ବିଭିନ୍ନ କୃଷି ସମବାୟ ସମିତି ମାଧ୍ୟମରେ ପ୍ରାୟ ୧ ଲକ୍ଷ ୨୦ ହଜାର କୃଷକ ଫସଲ ବୀମାରେ ସାମିଲ ହୋଇଛନ୍ତି । ସେହିପରି ପ୍ରାୟ ୪ ହଜାର ଅଣଋଣୀ ଚାଷୀ ଫସଲକୁ ବୀମାଭୁକ୍ତ କରିଛନ୍ତି । ଯାହା ଫସଲ ବୀମା କ୍ଷେତ୍ରରେ ଥିବା ଅସମାନତାକୁ ଦର୍ଶାଉଛି । କୃଷିକ୍ଷେତ୍ରକୁ ଅନୁଧ୍ୟାନ କଲେ ୪ଟି ବୃହତ ସମସ୍ୟା ଚାଷୀଙ୍କୁ ସର୍ବଦା ଆତଙ୍କିତ କରୁଛି । ଜିଲାରେ ୩୪,୯୫୨ ହେକ୍ଟର କ୍ଷେତ ଜମି ବନ୍ୟା ପ୍ଳାବିତ ଅଂଚଳରେ ଅଛି । ସେହିପରି ୩୨,୩୫୦ ହେକ୍ଟର କ୍ଷେତ ଲୁଣାଂଚଳ ହୋଇଥିବା ବେଳେ ମରୁଡ଼ିପ୍ରବଣ ୮୪,୯୧୦ ହେକ୍ଟର ଓ ଜଳ ନିଷ୍କାସନ ସମସ୍ୟା ୧୫,୮୫୦ ହେକ୍ଟର ଚାଷ କ୍ଷେତରେ ଅଛି । ଏହାବ୍ୟତୀତ ସାମୁଦ୍ରିକ ଜୁଆର, ବାତ୍ୟା ଦ୍ୱାରା ଖରିଫ ଓ ରବି ଫସଲ ନଷ୍ଟ ହେଉଛି । ୨୦୧୧ ଜନଗଣନା ତଥ୍ୟ ଆଧାରରେ ଜିଲାରେ ମୋଟ ଚାଷୀଙ୍କ ମଧ୍ୟରୁ ୧,୨୦,୩୦୯ ନାମମାତ୍ର ଓ ୩୦,୮୪୧ କ୍ଷୁଦ୍ର ଚାଷୀଙ୍କ ସହ ୧,୪୩,୮୬୪ କୃଷି ଶ୍ରମିକ ଅଛନ୍ତି । ଆର୍ôଥକ ଦୁରବସ୍ଥା ଯୋଗୁ ବହୁ ଚାଷୀ ବ୍ୟାଙ୍କ ଋଣ ନ ପାଇ ହାତ ଉଧାରି ଆଣି ଫସଲ କରିଥାନ୍ତି । ଏହିମାନେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଫସଲ ବୀମାରେ ସାମିଲ ହୋଇ ନ ଥିବାରୁ କ୍ଷତିପୂରଣ ମିଳିବାରୁ ବଂଚିତ ହେଉଛନ୍ତି । ବୀମା କମ୍ପାନୀର ଅବହେଳା ଓ ଜନସଚେତନତାର ଅଭାବ ଏହି ସୁଦୂରପ୍ରସାରୀ ଯୋଜନା କାର୍ଯ୍ୟକାରୀରେ ଅନ୍ତରାୟ ସୃଷ୍ଟି କରୁଛି । ବୀମା ହୋଇଥିଲେ ଫସଲହାନିରେ କ୍ଷତିପୂରଣ ମିଳିପାରିବ । ତେବେ ଭାଗଚାଷୀ ଓ କେତେଜଣ ସ୍ୱାଭିମାନୀ ଚାଷୀ ଋଣ କରି ନ ଥିବାରୁ ଏହାର ସୁଫଳ ପାଇ ପାରୁନାହାନ୍ତି । ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଭରଣା ମିଳୁ ନ ଥିବାରୁ ଯୁବବର୍ଗ କୃଷିକ୍ଷେତ୍ର ପ୍ରତି ଆଗ୍ରହ ଦେଖାଉ ନାହାନ୍ତି । ଅନ୍ୟପକ୍ଷରେ ଗତ ୩ ବର୍ଷ ହେବ କେନାଲରେ ଜଳ ପରିଚାଳନା ଉପଯୁକ୍ତ ସମୟରେ ହେଉ ନ ଥିବା ଯୋଗୁ ଫସଲହାନି ହେଉଛି । ଫସଲ ବୀମା ହୋଇଥିଲେ ଚାଷ ଜନିତ କ୍ଷତି ଏତେ ବାଧି ନ ଥାନ୍ତା । ଫସଲ ଆମଦାନୀ ହେଉ ନ ଥିବାରୁ ଚଳିତବର୍ଷ ୧୩ ଏକରରୁ ୫ ଏକର ଜମିରେ ଚାଷ ବନ୍ଦ ରହିିଛି । ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ହିମାଂଶୁ ମୋହନ ମିଶ୍ରଙ୍କୁ ପଚାରିବାରେ ୨୦୧୬ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହେଲା । ଏ ନେଇ ଚିଠି ମିଳିବା ପରେ ଜିଲାର ବହୁ ସ୍ଥାନରେ ବୈଠକ ସହ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ପ୍ରତି ପଂଚାୟତରେ ଏହି ବୀମା ସମ୍ପର୍କରେ ବାର୍ତା ପହଂଚାଇବା ପାଇଁ ବିଭାଗୀୟ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଅଣଋଣୀ ଚାଷୀଙ୍କ ନିକଟରେ ଏ ସମ୍ପର୍କରେ ବାର୍ତା ପହଁଚାଇବା ପାଇଁ ଅଧିକ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।