ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ପିଟିପିଟି ହତ୍ୟା


କେନ୍ଦ୍ରପଡା ୨୫ା୭ ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଂଚଳରେ ଜନୈକ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଖବର ମିଳିଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।  ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

ପ୍ରକାଶ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ବନ୍ତପାଟଣା ହର୍‌ନବାବି ଗାଁର ମଣିଚରଣ ସାହୁ ଗୁଣିଗାରେଡି ଓ ଝଡା ଫୁଙ୍କ କାମ କରନ୍ତି । ଗୁଣି ଗାରେଡିକୁ ନେଇ ତାଙ୍କର କିଛି ଲୋକଙ୍କ ସହିତ ଶତ୍ରୁତା ମଧ୍ୟ ଥିଲା ବୋଲି ଗ୍ରାମବାସୀ କୁହନ୍ତି । ଏହି ଘଟଣାକୁ ନେଇ ସାହିପଡିଶା ଅସନ୍ତୋଷ ପ୍ରକାଶ କରିଆସୁଥିଲେ । ତେବେ ମଣି ଚରଣ ଏହାକୁ ଭ୍ରୁକ୍ଷେପ କରିନଥିଲେ । ଏନେଇ କିଛି ଲୋକଙ୍କ ସହିତ ମଣି ଚରଣଙ୍କ ଦୀର୍ଘ ଦିନ ହେବ ଶତ୍ରୁତା ଥିଲା । ସେହିପରି ପାଖ ପଡ଼ୋଶୀ ଅଜୁ ମହାରଣାଙ୍କ ପରିବାର ସହ ଦୀର୍ଘ ଦିନ ହେବ ମଣି ଚରଣ ଙ୍କର ତେରିମେରି ଲାଗିରହୁଥିଲା । ଏନେଇ ଉଭୟ ପରିବାର ମଧ୍ୟରେ ସବୁବେଳେ ଝଗଡ଼ା ମଧ୍ୟ ହେଉଥିଲା । ଅଜୁ ମହାରଣାଙ୍କ ପରିବାର ଲୋକେ ଗୁଣିଗାରେଡିକୁ ନେଇ ସନ୍ଦେହ କରୁଥିଲେ । ମନ  ଭିତରେ କୁହୁଳୁ ଥିବା ସନ୍ଦେହର ନିଆଁ ଉଗ୍ର ରୂପ ଧାରଣ କରିଥିଲା । ଯାହାଫଳରେ ଗତ ୨୩ ତାରିଖ ରବିବାର ବିଳମ୍ବିତ ରାତିରେ ମଣିଚରଣ ଘରେ ଶୋଇଥିବା ବେଳେ ପଡୋଶୀ ଅଜୁ ମହାରଣା ଓ ତାଙ୍କର ଦୁଇପୁଅ ବିପିନି ମହାରଣା ଓ ଗୁନୁଆ ମହାରଣା କବାଟ ଭାଙ୍ଗି ଘରେ ପଶି ତାଙ୍କୁ ମରାମରି କରିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ପରେ ଏକ ଶାବଳ ଓ ଠେଙ୍ଗାରେ ଏମାନେ ମଣି ଚରଣଙ୍କୁ ମରଣାନ୍ତକ ଆକ୍ରମଣ କରି ପ୍ରହାର ପରେ ପ୍ରହାର କରିଥିଲେ । ମଣି ଚରଣଙ୍କୁ ଛାଡ଼ି ଦେବାକୁ ପରିବାର ଲୋକେ କାକୁତି ମୀନତି ହୋଇଥିଲେ ବି ସେମାନେ ଶୁଣି ନ ଥିଲେ । ଶାବଳ ମାଡରେ ମଣି ଚରଣଙ୍କ ଅବସ୍ଥା ଗୁରୁତର ହେବା ସହ ପ୍ରବଳ ରକ୍ତପାତ ହେବାରୁ ଅଭିଯୁକ୍ତ ବାପପୁଅ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ପରେ ପରିବାର ଲୋକେ ଗୁରୁତର ମଣିଚରଣଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଣି ଚରଣଙ୍କ ମୃତ୍ୟୁ ଘଟିଛି ।  ପୂର୍ବ ଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ମଣି ଚରଣଙ୍କୁ ପିଟି ପିଟି ମାରି ଦିଆଯାଇଥିବା ନେଇ ମୃତ ମଣି ଚରଣଙ୍କ ମା ଲଷ୍ମୀପ୍ରିୟା ସାହୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ଅଭିଯୋଗ ପରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପୋଲିସ ଏକ ମାମଲା ୪୫୦/୨୩ ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି । ତଦନ୍ତ ପରେ ଏହି ମାମଲାରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମାଂଚଳ ଥାନା ଅଧିକାରୀ ବାମଦେବ ନନ୍ଦ କହିଛନ୍ତି ।