
କେନ୍ଦ୍ରାପଡ଼ା ୧୬ା୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟର ନୂଆ “ଓ” ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସାରା ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ଓଡିଶା କାର୍ଯ୍ୟକ୍ରମ “ ନୂଆ ‘ଓ’ ଯୁବ ଓଡିଶା ନବୀନ ଓଡିଶା” ମାଧ୍ୟମରେ ସାଂସ୍କୃତିକ କ୍ରୀଡା ପ୍ରତିଯୋଗିତା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହା ଫଳରେ କଲେଜରେ ପାଠ ପଢୁଥିବା ସବୁ ପିଲାମାନଙ୍କ ପ୍ରତିଭାର ବିକାଶ ହେବା ସହିତ ସେମାନେ ଆହୁରି ଆଗକୁ ଯାଇପାରିବେ । କେନ୍ଦ୍ରାପଡା କଲେଜରେ ଆଉ ଅଧ୍ୟାପକଙ୍କ ଅଭାବ ରହିବ ନାହିଁ । କାରଣ ସରକାର ରାଜ୍ୟର କଲେଜ ଗୁଡିକରେ ଏକ ହଜାର ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି । ସେହି ନିଯୁକ୍ତି ସମୟରେ କେନ୍ଦ୍ରାପଡା କଲେଜରେ ଆବଶ୍ୟକତାକୁ ଭିତ୍ତି କରି ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ମନ୍ତ୍ରୀ ଶ୍ରୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଦେଶରେ ସବୁଠୁ ଶିକ୍ଷିତ ରାଜ୍ୟ କେଉଁଟା ବୋଲି ପିଲାମାନଙ୍କୁ ପ୍ରଶ୍ନ ପଚାରିଥିଲେ । ପିଲାମାନେ କେରଳ ବୋଲି ଉତ୍ତର ଦେବାପରେ ମନ୍ତୀ କହିଥିଲେ ଯେ କେରଳରେ ଦେଶର ସବୁଠୁ ଅଧିକ ଜରାଶ୍ରମ ରହିଛି ଯେଉଁଠି ବୃଦ୍ଧ ପିତାମାତା ମାନେ ରୁହନ୍ତି । ପିଲାମାନେ ତମେ ମାନେ ବଡ ହେଲେ ପିତାମାତାଙ୍କ କଥା ମାନିବ ଓ ତାଙ୍କ ସେବା କରିବାକୁ ସମସ୍ତେ ଶପଥ ନେବା ବୋଲି ମନ୍ତ୍ରୀ କହିଥିଲେ । ଏହି ଅବସରରେ ମନ୍ତ୍ରୀ ୫କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏକ ଅଡିଟୋରିଅମ ପାଇଁ ଶିଳାନ୍ୟାସ କରିବା ସହିତ କଲେଜ ପରିସରରେ ନବ ନିର୍ମିତ ଛାତ୍ରାବାସକୁ ଉଦଘାଟନ କରିଥିଲେ । ଛାତ୍ରମାନଙ୍କ ପକ୍ଷରୁ କେନ୍ଦ୍ରାପଡା କଲେଜକୁ ସରକାରୀ କଲେଜ ଭାବେ ଘୋଷଣା ନିମନ୍ତେ ପ୍ରଦାନ କରାଯାଇଥିବା ଦାବିପତ୍ର ଉପରେ ମନ୍ତ୍ରୀ କିଛି କହିନଥିଲେ । କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି । ଓଡିଶାର ଇତିହାସରେ କେନ୍ଦ୍ରାପଡାର ସଂସ୍କୃତି କିଛି କମ ନୁହେଁ । ଆମ କେନ୍ଦ୍ରାପଡାର ପିଲାମାନେ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନାଁ କମାଇ ଆମ ପାଇଁ ଗୈାରବ ଆଣିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପୈାରାଧ୍ୟକ୍ଷା ସରିତା ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କଲେଜ ପରିଚାଳନା ପରିଷଦ ସଭାପତି ବାସୁଦେବ ପାତ୍ର ମଞ୍ଚାସୀନ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଛାତ୍ରୀ ସୁପ୍ରୀୟା ଦାସ ଓ ଛାତ୍ର ପ୍ରବୀଣ ପ୍ରଧାନ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଅଧ୍ୟାପକ ପ୍ରମୋଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।