
କେନ୍ଦ୍ରାପଡା, ୨୯/୪: କଥାକାର ଡ଼ ଯଶୋବନ୍ତ ସାମଲଙ୍କର ଅଷ୍ଟମ ଗଳ୍ପ ସଂକଳନ “ଅଳ୍ପ ଗଳ୍ପ’ ଚଳିତମାସ ୨୮ ତାରିଖରେ ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନରେ ଉନ୍ମୋଚିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥିଭାବେ ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ୱରଞ୍ଜନ ଏବଂ ଡ଼ ଗୌରହରି ଦାସ ଯୋଗଦାନ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସ୍ୱତନ୍ତ୍ର ସଚିବ କବି ମଧୁସୂଦନ ଦାସ ସଭାରେ ପୌରାହିତ୍ୟ କରିଥିବାବେଳେ ଡଃ଼ ଅଜୟ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଅଧ୍ୟାପକ ଡ଼ ବିରଞ୍ôଚ କୁମାର ସାହୁ ପୁସ୍ତକଟିର ଆଲୋଚନା କରିଥିଲେ ଏବଂ ଗଳ୍ପପାଠ କରିଥିଲେ କବି ଇପ୍ସିତା ଷଡ଼ଙ୍ଗୀ, ଅଧ୍ୟାପକ ହରେକୃଷ୍ଣ ଦାସ । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ଯେଉଁ ଗପ ପାଠକର ମନକୁ ଚହଲାଇ ଦିଏ, ଆପଣାର କଥା ଭଳି ଲାଗେ ତାହାର ଆୟୁଷ ଦୀର୍ଘାସ୍ଥାୟୀ ହୋଇଥାଏ । ଏହା ଅଣୁ ଗଳ୍ପ ହେଉ ବା ଦୀର୍ଘଗପ ବୋଲି ମତବ୍ୟକ୍ତ କରିଥିଲେ । କଟକର ବିଦ୍ୟାପୁରୀ ପ୍ରକାଶନୀର ପ୍ରକାଶକ ଜୀବାନନ୍ଦ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।