କୋଲକତାରେ ଡାକ୍ତରାଣୀଙ୍କୁ ବଳତ୍କାର ପରେ ହତ୍ୟା ଘଟଣା , କେନ୍ଦ୍ରାପଡ଼ାରେ କଳାବ୍ୟାଜ ପିନ୍ଧି ପ୍ରତିବାଦ



କେନ୍ଦ୍ରାପଡ଼ା,୧୭ା୮:କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣା ଏବେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଡାକ୍ତରଙ୍କ ସୁରକ୍ଷା ନେଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନେ ଚିନ୍ତା ପ୍ରକଟ କରିଛନ୍ତି। ଜିଲାର ଡାକ୍ତରମାନେ କଳାବ୍ୟାଜ ପରିଧାନ କରି ସମଗ୍ର ଦେଶରେ ଚାଲିଥିବା ହରତାଳକୁ ସମର୍ଥନ କରିଛନ୍ତି। ଡାକ୍ତରମାନେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ଓମସା(ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ)ର କେନ୍ଦ୍ରାପଡା ଜିଲା ସଭାପତି ଡା. ସଞ୍ଜୀତ କୁମାର ସେଠୀଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତରମାନେ କଳା ବ୍ୟାଜ ଲଗାଇ ପ୍ରତିବାଦ କରିଥିଲେ । ଏହି ଅବସରରେ ଡା. ସେଠୀ କହିଥିଲେ ଯେ କଲକତାରେ ଜଣେ ମହିଳା ଡାକ୍ତରଙ୍କୁ ଯେଭଳି ଅମାନୁଷିକ ଭାବେ ବଳାତ୍କାର କରି ହତ୍ୟା କରାଗଲା ତାହା ଅତ୍ୟନ୍ତ ହିଂସ୍ର କାର୍ଯ। ଏହି ଘଟଣା ଘଟିବା ପରେ ଡାକ୍ତରମାନେ ବିଶେଷ କରି ମହିଳା ଡାକ୍ତରମାନେ ଡାକ୍ତରଖାନାକୁ ଚିକିତ୍ସା କରିବାକୁ ଆସିବାକୁ ସୁରକ୍ଷିତ ମନେ କରୁନାହାଁନ୍ତି। ତେଣୁ ଡାକ୍ତରମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଓ ଆଇନ ପ୍ରଣୟନ କରାଯାଉ। ଯାହା ଫଳରେ ଡାକ୍ତରମାନେ ସୁରକ୍ଷିତ ଭାବେ ଡାକ୍ତରଖାନାରେ ରୋଗୀସେବା ଯୋଗାଇ ଦେଇ ପାରିବେ। ପ୍ରତିବାଦରେ ସାମିଲ ଥିବା ଡା. ଦୀକ୍ଷା ପାଇକରାୟ କହିଛନ୍ତି ଯାହାକୁ ବଳାତ୍କାର କରି ହତ୍ୟା କରାଗଲା ସେ କାହାର ଝିଅ ଥିଲେ ଓ କାହାର ଭଉଣୀ ଥିଲେ। ତେଣୁ ସେଭଳି ଅମାନୁଷିକ କାର୍ଯ୍ୟକୁ ଆମେ ବିରୋଧ କରୁଛୁ। ଡାକ୍ତରଖାନାକୁ ଆମେ ଆମର ଦ୍ୱିତୀୟ ଘର ଭାବି କାମ କରୁଛୁ। ହେଲେ ଏହି ଦ୍ୱିତୀୟ ଘରେ ଯଦି ଆମକୁ ସୁରକ୍ଷା ନ ମିଳେ ତେବେ ଆମେ କେଉଁ ମାନସିକତାରେ ରୋଗୀସେବା କରିବୁ। ତେଣୁ ଆମେ ସରକାରଙ୍କୁ ପ୍ରଶ୍ନ କରୁଛୁ ଆମେ କେଉଁ ସ୍ଥାନରେ ସୁରକ୍ଷିତ ଅଛୁ। କାରଣ ଡାକ୍ତରଖାନା ପରିସରରେ ହିଁ କଲିକତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର କରି ହତ୍ୟା କରାଗଲା। ସେହିପରି ଆଇନରେ ବ୍ୟାପକ ପରିବର୍ତ୍ତନ ଦରକାର। ଏହା ନ ହେଲେ ଅପରାଧ କରିବା ପାଇଁ କେହି ଭୟ କରିବେ ନାହିଁ। ଜନସାଧାରଣ ମଧ୍ୟ ବଳାତ୍କାର ଘଟଣାକୁ ଗୁରୁତର ସହ ବିଚାରକୁ ନିଅନ୍ତୁ। ସେ ନିଜେ ଡାକ୍ତରଖାନାରେ ଅସୁରକ୍ଷିତ ମନେ କରୁଥିବା ପ୍ରକାଶ କରିଛନ୍ତି। କେବଳ ସେ ନୁହଁନ୍ତି ତାଙ୍କ ଭଳି ଡାକ୍ତରଖାନାରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଅନ୍ୟ ମହିଳା ଡାକ୍ତରମାନେ ମଧ୍ୟ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ବୋଲି ସେ କହିଛନ୍ତି। ସେ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଆଇନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଲରାଯାଉ। ଯେଉଁମାନେ ବଳାତ୍କାର କରୁଛନ୍ତି ସେମାନଙ୍କ ପାଇଁ କଠୋର ଦଣ୍ଡ ବିଧାନ କରାଯାଉ। ଯାହା ଫଳରେ ଅନ୍ୟମାନେ ବଳାତ୍କାର କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ। ଏହାଦ୍ୱାରା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ। ଡାକ୍ତରମାନେ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିଭିନ୍ନ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରା କରିଥିଲେ । ସେମାନଙ୍କର ଦାବି ଥିଲା ଯେ ଡାକ୍ତମାନଙ୍କର ସୁରକ୍ଷା ପାଇଁ ଏକ କେନ୍ଦ୍ରୀୟ ଆଇନର ବ୍ୟବସ୍ଥା କରାଯିବା ସହିତ ସେମାନଙ୍କ ସୁରକ୍ଷା କଡାକଡି କରିବାକୁ ଦାବି କରିଥିଲେ । ଏହି ପ୍ରତିବାଦ ଶୋଭାଯାତ୍ରାରେ ଓମ୍‌ସାର ସମ୍ପାଦକ ଡା. ନିରଞ୍ଜନ କର, ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡା. ପ୍ରମୋଦ କୁମାର ପ୍ରହରାଜ, ଡା. ଅଜୟ ସାହୁ, ଡା. ବୈକୁଣ୍ଠ ପଣ୍ଡା, ଡା. ଆନନ୍ଦ ଗୋପାଳ ମହାନ୍ତି, ଡା. ଦୀକ୍ଷା ପାଇକରାୟ, ଡା. ଏସ୍‌.ଏ. ଅଲ୍ଲୀ, ଡା. ସେଖ୍ ଶାହାଜାନ୍ ହୁସେନ୍‌, ଡା.ଅଶୋକ କର, ଡା. ଶରତ ପୃଷ୍ଟି, ଡା. ଦେବାଶିଷ ସାହୁଙ୍କ ସମେତ ମୁଖ୍ୟ ଚିକିତ୍ସାଳୟର ନର୍ସମାନେ ଏଥିରେ ସାମିଲ ହୋଇଥିଲେ ।