
କେନ୍ଦ୍ରାପଡ଼ା, ୨୯ା୮: କେନ୍ଦ୍ରାପଡା ଜିଲ୍ଲାର ରାଜକିନିକା ବ୍ଲକରେ ଫର୍ଜରୀ ବିଲ୍ କରାଯାଇ ସରକାରୀ ଅର୍ଥ ଆତ୍ମସାତ୍ କରାଯାଇଥିବାରୁ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣାରେ ବସିଛନ୍ତି ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ । ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ରାଜକନିକା ବ୍ଲକର ସିକୋ ଏବଂ କାଟଣାବଣିଆ ଗ୍ରାମପଞ୍ଚାୟତର ଦୁଇଟି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନିମନ୍ତେ ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରିୟବ୍ରତ ଦାସଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ଉକ୍ତ ପ୍ରକଳ୍ପ ଦ୍ୱୟ ନିମନ୍ତେ ପ୍ରଦାନ କରାଯାଇଥିବା ଜିଏସ୍ଟି ବିଲ୍ ହାତରେ ଲେଖା ହୋଇଥିବା ବେଳେ ସେହି ବିଲ୍ ମଧ୍ୟରୁ କେତେକ ବିଲ୍ରେ ଲେଖାଥିବା ଠିକଣାରେ ଦୋକାନ ମିଳୁନଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହାଦ୍ୱାରା ଏହି ପ୍ରକଳ୍ପ ଦ୍ୱୟର ଫର୍ଜରୀ ବିଲ୍ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବା ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଏହାବ୍ୟତୀତ ଦୁଇଟିଯାକ ପ୍ରକଳ୍ପରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଇଥିବା ମଧ୍ୟ ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ଆଚାର୍ଯ୍ୟ ଗତ ତା ୮ା୦୧ା୨୦୨୪ରିଖରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଦୀର୍ଘ ଆଠମାସ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣା ଆରମ୍ଭ କରିଛନ୍ତି । ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ଆଚାର୍ଯ୍ୟଙ୍କୁ ସୂଚନା ଦିଆଯାଇଛି ଯେ ତାଙ୍କ ଅଭିଯୋଗ ଉପରେ ରାଜକନିକା ବ୍ଲକର ବିଡିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । କିନ୍ତୁ ବିଡିଓ ତଦନ୍ତ କରିବା ଆଳରେ ସମୟ ଗଡାଇ ଚାଲିଥିବା ନେଇ ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ତେଣୁ ଶ୍ରୀ ଆଚାର୍ଯ୍ୟ ଫର୍ଜରୀ ବିଲ୍ କରି ସରକାରୀ ଅର୍ଥ ଆତ୍ମସାତ୍ କରିଥିବା କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠାରୁ ଦିବାରାତ୍ର ଧାରଣା ଆରମ୍ଭ କରିଥିବା କହିଛନ୍ତି । ଶ୍ରୀ ଆଚାର୍ଯ୍ୟଙ୍କୁ ସମର୍ଥନ କରି ସୂଚନା ଅଧିକାର ଅଭିଯାନର ଅନ୍ୟ କର୍ମୀମାନେ ଧାରଣାରେ ସାମିଲ୍ ହୋଇଥିବାର ଦେଖାଯାଇଛି ।