ଦୁଷ୍କର୍ମ ଉଦ୍ୟମ ଅପରାଧରେ ଦୋଷୀଙ୍କୁ ସାଢେ ୩ବର୍ଷ ଜେଲଦଣ୍ଡ



କେନ୍ଦ୍ରାପଡା,୨୫ା୨: ଏକ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଅତିରିକ୍ତ ଜିଲ୍ଲାଜଜ ତ୍ରିବିକ୍ରମକେଶରୀ ଚିନ୍ନାରା ଦୋଷୀଙ୍କୁ ସାଢେ ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜନୈକ ଲୋକଙ୍କର ଗତ ୨୮.୧୧.୨୦୧୫ରିଖରେ ଏକ ସାଇକେଲ ଚୋରି ହୋଇଥିଲା। ଏନେଇ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ସେହି ଅଞ୍ଚଳର ଦୁଇଜଣ ଯୁବକଙ୍କୁ ପଚରାଉଚୁରା କରିବାରେ ସେମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏନେଇ ସଂପୃକ୍ତ ମହିଳା କେନ୍ଦ୍ରାପଡା ଟାଉନ ଥାନାରେ ଗତ ୨. ୧୨. ୨୦୧୫ ରିଖରେ ଏସମ୍ପର୍କରେ ଏକ ଏତଲା ଦେଇଥିଲେ। ସେହିଦିନ ଘରେ କେହିନଥିବାର ସୁଯୋଗ ନେଇ ଦିଲ୍ଲିପ ଦାସ ଓ ଚଗଲା ମହାରଣା ସଂପୃକ୍ତ ମହିଳାଙ୍କ ଘରେ ପଶି ତାଙ୍କ ଝିଅକୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଧକ୍କା ମାରିବା ସହ ମନ୍ଦ ଉଦେଶ୍ୟ ରଖି ତାଙ୍କୁ ଟଣାଓଟରା କରିଥିଲେ। ଫଳରେ ସଂପୃକ୍ତ ଯୁବତୀଙ୍କ ପିନ୍ଧା ଡ୍ରେସ ଚିରିଯାଇଥିଲା। ଏଥିସହିତ ଲୋକଙ୍କ ସମ୍ମୁଖରେ ସେହି ଯୁବତୀଙ୍କୁ ଉପରୋକ୍ତ ଯୁବକ ଦୁଇଜଣ ଦୁଷ୍କର୍ମ ଉଦ୍ୟମ କରିବାରେ ଯୁବତୀ ଜଣଙ୍କ ଲୋକଲଜ୍ୟାରେ ବିଷ ପିଇଦେଇଥିଲେ। ଯୁବତୀଙ୍କ ମା’ଙ୍କ ଅଭିଯୋଗ ଉପରେ ଟାଉନ ଥାନା ପୋଲିସ ଥାନା କେଶ ନମ୍ବର-୧୯୯/୨୦୧୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଥିଲେ। ପୋଲିସ ଅଦାଲତରେ ସେହି ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ ଏସଟି ନଂ- ୩୭୫/୨୦୧୭ରେ ସେହି ମାମଲାର ବିଚାର କରି ଫାଷ୍ଟଟ୍ରାକ କୋର୍ଟର ଅତିରିକ୍ତ ଜିଲ୍ଲାଜଜ ତ୍ରିବିକ୍ରମକେଶରୀ ଚିନ୍ନାରା ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ଟାଉନ ଥାନା ଅନ୍ତର୍ଗତ ଇଛାପୁର(ଶ୍ୟାମଗୁଡିଆ) ଗ୍ରାମର ଦିଲ୍ଲିପ ଦାସ ଓ ଚଗଲା ମହାରଣାଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ୩୨୩ଦଫାରେ ୬ମାସ ଜେଲଦଣ୍ଡ ସହିତ ୫ଶହ ଟଙ୍କା ଜୋରିମାନା ଓ ୩୫୪ଦଫାରେ ୩ବର୍ଷ ଜେଲଦଣ୍ଡ ସହିତ ତିନି ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସଞ୍ଜୟ କୁମାର ଜେନା ଅଦାଲତରେ ମାମଲା ପରିଚାଳନା କରୁଥିଲେ।


Be the first to comment

Leave a Reply

Your email address will not be published.