ପଟ୍ଟାମୁଣ୍ଡାଇରେ ମହାଶିବରାତ୍ରି ଓ ଜାଗରଯାତ୍ରା



ପଟ୍ଟାମୁଣ୍ଡାଇ ତା ୨୬/୨-ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପବିତ୍ର ମହାଶିବରାତ୍ରି ଓ ଜାଗର ଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ପ୍ରସିଦ୍ଧ ଶୈବ ପୀଠ ଚନ୍ଦନନଗର ଚନ୍ଦ୍ରମଉଳି ପୀଠରେ ମହାଶିବ ରାତ୍ରି ଉପଲକ୍ଷେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ଆଜି ପ୍ରତ୍ୟୁଷରୁ ପୂଜକ ପଣ୍ଡାମାନଙ୍କ ଦ୍ୱାରା ପ୍ରଭୁ ଚନ୍ଦ୍ରମଉଳି ମହାଦେବଙ୍କ ପୂଜାର୍ଚନା ଯଥାବିଧି ସମ୍ପନ୍ନ କରାଯାଇଥିଲା ।  ପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତ୍ୟୁଷରୁ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା ।  ସନ୍ଧ୍ୟାରେ ଶହ ଶହ ଶ୍ରଦ୍ଧାଳୁ ପ୍ରଭୁଙ୍କ ବେଢାରେ ଦୀପ ଜାଳି ଆଶୀର୍ବାଦ ଭିକ୍ଷା କରିଥିଲେ ।  ମହାଶିବରାତ୍ରି ଉପଲକ୍ଷେ ଚନ୍ଦ୍ରମଉଳି ପୀଠ ଆଲୋକମାଳାରେ ସଜ୍ଜିତ ହୋଇ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ମାନସିକ ପାଇଁ ଦୀପ ଜାଳି ବସି ଥିବା ଭକ୍ତମାନେ ବିଳମ୍ବିତ ରାତିରେ ମହାଦୀପ ଦର୍ଶନ କରି ନିଜର ମାନସିକ ସଂପୂର୍ଣ୍ଣ କରିବା ପାଇଁ ଲାଗିପଡିଛନ୍ତି । ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ପୋଖରୀଆପଡା ହରପାର୍ବତୀ ମନ୍ଦିର ମହାଶିବରାତ୍ରି ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।  ମୁଖ୍ୟ ପୂଜକ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ପ୍ରତ୍ୟୁଷରୁ ପ୍ରଭୁ ହରପାର୍ବତୀଙ୍କ ଯଥାଵିଧି ପୂଜାର୍ଚନା କରିଥିଲେ ।  ପ୍ରଭୁ ହରପାର୍ବତୀଙ୍କ ଦର୍ଶନ ପାଇଁ ପ୍ରତ୍ୟୁଷରୁ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା ।  ଏପରିକି ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇ ଧାଡିରେ ଭକ୍ତ ମାନଙ୍କୁ ଦିଅଁ ଦର୍ଶନ କରାଇଥିଲେ।  ମହାଶିବରାତ୍ରୀ ଉପଲକ୍ଷେ ହରପାର୍ବତୀ ମନ୍ଦିର ଆଲୋକମାଳାରେ ସଜ୍ଜିତ ହୋଇଥିଲା ।  ମନ୍ଦିର ବେଢାରେ ଶ୍ରଦ୍ଧାଳୁ ମାନେ ଦୀପ ଲଗାଇ ନିଜର ମାନସିକ ପୂରଣ ସହ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।  ଏଇ ଅବସରରେ ପଟ୍ଟାମୁଣ୍ଡାଇ କସ୍ତୁରୀ କଳା ନିକେତନ ଓ କେନ୍ଦ୍ରାପଡ଼ା ଭାବଗ୍ରାହୀ କଳା ନିକେତନ କଳାକାର ମାନେ ଭଜନ ପରିବେଷଣ କରିଥିଲେ । ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ଥିବା ଗୋପେଶ୍ୱର ମହାଦେବ ମନ୍ଦିରରେ ମହାଶିବରାତ୍ରି ପାଳିତ ହୋଇଯାଇଛି ।  ମହନ୍ତ ଅସୀମାନନ୍ଦ ଦାସ ମହାରାଜଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।  ଏହା ଛଡା କଷଣଅଣ୍ଟା ଲକ୍ଷେଶ୍ୱର ମହାଦେବ ପୀଠରେ ଜାଗର ପାଇଁ ପ୍ରବଳ ଭିଡ଼ ହୋଇଥିଲା ।  ପ୍ରତ୍ୟୁଷ ରୁ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ବେଲତଳ ବେଲେଶ୍ୱର ମହାଦେବ ପୀଠ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଏହାଛଡା ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ,ତରଡ଼ିପାଳ, ଅଳପୁଆ, ସିଂହଗାଁ, ଶ୍ରୀରାମପୁର ନରସିଂହପୁର, ଡିହାପଡା, ବଡ଼ମୂଳବସନ୍ତ, ଅରଡ଼ପଲ୍ଲୀ, ଡାମରପୁର, ଶାସନ, ସଂସାରପାଳ, ଔପଦା, ବିଲିକଣା, ଖଣତା, ବଡ଼ପଡା, ବଡ଼ମୋହନପୁର, ଦିହୁଡିପୁର, ସାନଜରିଆ, ଗଙ୍ଗାରାମପୁର, ଖଡ଼ିଅଣ୍ଟା, କଖାରୁଣୀ ଆଦି ବିଭିନ୍ନ ପଂଚାୟତ ଓ ପୌରାଞ୍ଚଳର ବାଲିପଡ଼ା, ତନୁପୁର, ଷଣ୍ଢପଲ୍ଲୀ, ମାଟିଆ, ବକ୍ତାରପୁର, ତାତନା ଆଦି ବିଭିନ୍ନ ଗ୍ରାମରେ ଥିବା ଶିବ ମନ୍ଦିରରେ ମହାଶିବରାତ୍ରି ପାଳିତ ହୋଇଯାଇଛି ।


Be the first to comment

Leave a Reply

Your email address will not be published.