
କେନ୍ଦ୍ରାପଡ଼ା, ୨୭ା୨: କେନ୍ଦ୍ରାପଡା ଜିଲ୍ଲାରେ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଆସନ୍ତା ମାର୍ଚ୍ଚମାସ ୬ ତାରିଖରେ ଏହି ପରୀକ୍ଷା ଶେଷହେବ। ଚଳିତ ବର୍ଷ ଜିଲ୍ଲାରେ ୧୦୭ଟି ପରୀକ୍ଷା କେନ୍ଦ୍ରରେ ୧୮ହଜାର ୭୨୦ ଛାତ୍ର /ଛାତ୍ରୀ ପରୀକ୍ଷା ଦେଉଛନ୍ତି । ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀମାନେ ପୂର୍ବବର୍ଷ ନିଜନିଜ ସ୍କୁଲରେ ପରୀକ୍ଷା ଦେଇଥିବା ବେଳେ ଚଳିତ ବର୍ଷ ଏହାକୁ ବୋର୍ଡ ପକ୍ଷରୁ ପରିବର୍ତ୍ତନ କରାଯାଇ ନିଜସ୍କୁଲ ଠାରୁ ୫ରୁ ୧୦ କି.ମି. ମଧ୍ୟରେ ଥିବା କେନ୍ଦ୍ର ଗୁଡିକରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ୪ଟି ପରୀକ୍ଷା କେନ୍ଦ୍ରରେ ମୁକ୍ତ ହାଇସ୍କୁଲର ୧୬୩ ଜଣ ପରୀକ୍ଷାର୍ଥୀ, ୩୧୪ ଜଣ ମଧ୍ୟମା ପରୀକ୍ଷାର୍ଥୀ ଓ ଗୋଟିଏ ମଦ୍ରାସା କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ୧୦୭ ଟି ପରୀକ୍ଷା କେନ୍ଦ୍ର ପାଇଁ ୮୯୯ ଜଣ ଶିକ୍ଷା ନିରୀକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ୪୪୯ ଜଣ କର୍ମଚାରୀ ଓ ୨୨୫ ଜଣ ରିଲିଭରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ୧୦୭ ଟି କେନ୍ଦ୍ର ନିମନ୍ତେ ୧୦୭ ଜଣ ସୁପରିଟେଣ୍ଡେଣ୍ଟ୍ଓ ୧୦୭ ଜଣ ଡେପୁଟି ସୁପରିଟେଣ୍ଡେଣ୍ଟ ଙ୍କୁ ମଧ୍ୟ ବିଭିନ୍ନ କେନ୍ଦ୍ର ନିମନ୍ତେ ନିଯୁକ୍ତି ଦିଆଯାଇଛି । କପି ରୋକିବା ପାଇଁ ୫ ସ୍ତରୀୟ ସ୍କ୍ୱାର୍ଡର ବ୍ୟବସ୍ଥା କରାଯାଇଛି । କଟକ ବୋର୍ଡ କାର୍ଯ୍ୟାଳୟରୁ ଗୋଟିଏ ସ୍କ୍ୱାର୍ଡ ଜିଲ୍ଲାକୁ ଆସିବାର ବ୍ୟବସ୍ଥା ଥିବାବେଳେ ବ୍ଲକ ପାଇଁ ଗୋଟିଏ ସ୍ୱତନ୍ତ୍ର ସ୍କ୍ୱାର୍ଡ ରହିବାର ବନ୍ଦୋବସ୍ତ ହୋଇଛି । ଜିଲ୍ଲାର ୯ଟି ବ୍ଲକ ଓ ୨ଟି ପୌରାଞ୍ଚଳରେ ଥିବା ନୋଡାଲ ସେଣ୍ଟର ଗୁଡିକରେ ପ୍ରଶ୍ନପତ୍ର ପ୍ୟାକେଟ୍ ରଖାଯିବ। ମାର୍ଶାଘାଇ ବ୍ଲକ ପାଇଁ ମାର୍ଶାଘାଇ ଉଚ୍ଚବିଦ୍ୟାଳୟ, କେନ୍ଦ୍ରାପଡା ବ୍ଲକ ପାଇଁ ବାଲିଆ ହାଇସ୍କୁଲ ସହିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଗରଦପୁର ବ୍ଳକ ପାଇଁ ପାଟକୁରା ହାଇସ୍କୁଲ, ପଟ୍ଟାମୁଣ୍ଡାଇ ବ୍ଲକ ପାଇଁ କଷଣଅଣ୍ଟା ପଞ୍ଚାୟତ ହାଇସ୍କୁଲ ,ଆଳିବ୍ଲକ ପାଇଁ ଆଳି ହାଇସ୍କୁଲ, ରାଜନଗର ବ୍ଲକ ପାଇଁ ରାଜନଗର ହାଇସ୍କୁଲ, ମହାକାଳପଡା ବ୍ଲକ ପାଇଁ କେଆରବାଙ୍କ ହାଇସ୍କୁଲ ଏବଂ ରାଜକନିକା ବ୍ଲକ ପାଇଁ ରାଜେନ୍ଦ୍ର ନାରାୟଣ ଉଚ୍ଚବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଛି। କେନ୍ଦ୍ରାପଡାର କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ନୋଡାଲକେନ୍ଦ୍ର ଅଧିନରେ ୧୫ଟି ପରୀକ୍ଷା କେନ୍ଦ୍ରରେ ୨୪୮୦ ଜଣ, କେନ୍ଦ୍ରାପଡା ବ୍ଲକ ବାଲିଆ ନୋଡାଲକେନ୍ଦ୍ର ଅଧିନରେ ୯ଟି ପରୀକ୍ଷା କେନ୍ଦ୍ରରେ ୧୬୭୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସେହିଭଳି ମାର୍ଶାଘାଇ ସରକାରୀ ହାଇସ୍କୁଲ ନୋଡାଲକେନ୍ଦ୍ର ଅଧିନରେ ୯ଟି ପରୀକ୍ଷା କେନ୍ଦ୍ରରେ ୧୨୮୮ ଜଣ, ମହାକାଳପଡା ବ୍ଲକର କେଆରବାଙ୍କ ନୋଡାଲକେନ୍ଦ୍ର ଅଧିନରେ ୧୭ଟି ପରୀକ୍ଷା କେନ୍ଦ୍ରରେ ୩୦୪୫ ଜଣ, ଆଳି ନୋଡାଲ କେନ୍ଦ୍ରର ୧୩ଟି ପରୀକ୍ଷା କେନ୍ଦ୍ରରେ ୧୯୨୯ ଜଣ, ପଟ୍ଟାମୁଣ୍ଡାଇ ନୋଡାଲ କେନ୍ଦ୍ରର ୧୪ଟି ପରୀକ୍ଷା କେନ୍ଦ୍ରରେ ୨୭୪୫ ଜଣ, ରାଜକନିକା ନୋଡାଲ କେନ୍ଦ୍ରର ୧୧ଟି ପରୀକ୍ଷା କେନ୍ଦ୍ରରେ ୧୮୬୧ ଜଣ, ରାଜନଗର ନୋଡାଲ କେନ୍ଦ୍ରର ୧୩ଟି ପରୀକ୍ଷା କେନ୍ଦ୍ରରେ ୨୫୬୩ ଜଣ ପରୀକ୍ଷାର୍ଥୀ ଦେଉଥିବା ଜଣାପଡିଛି। ସେହିଭଳି ଗରଦପୁର ବ୍ଲକ ପାଟକୁରା ହାଇସ୍କୁଲ ନୋଡାଲ କେନ୍ଦ୍ର ଅଧିନରେ ୬ ଟି ପରୀକ୍ଷା କେନ୍ଦ୍ରରେ ୧୧୩୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଜିଲ୍ଲାର ୯ଟି ବ୍ଲକରେ ଦୁଇଜଣ ଲେଖାଏଁ ସୁପରିଟେଣ୍ଡେଣ୍ଟଙ୍କ ଅଧିନରେ ୯ଟି ନୋଡାଲ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ କେନ୍ଦ୍ର ଗୁଡିକର ଦୂରତା ୧୦କି.ମି ମଧ୍ୟରେ ରହିଛି। ପରୀକ୍ଷାକେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ନିଷିଦ୍ଧ କରାଯିବା ସହିତ ସିସିଟିଭି ନଜରରେ ପରୀକ୍ଷା ପରିଚାଳିତ ହେଉଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଏଥିପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରତି କେନ୍ଦ୍ର ଗୁଡିକରେ ପୋଲିସ ସୁରକ୍ଷା ବଳ ମୁତୟନ ବ୍ୟବସ୍ଥା କରାଯାଇଛି ।
Leave a Reply