ପଟ୍ଟାମୁଣ୍ଡାଇ ୨୨/୪–କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ଶହଶହ ଏକର ଚାଷଜମୀ ନଷ୍ଟ ହେଉଥିବା ବେଳେ ବାଡିବଗିଚା ସନ୍ତସନ୍ତିଆ ଅବସ୍ଥାରେ ପଡିରହୁଛି । ଅଳଭା ଘେରିରୁ ଜଳନିସ୍କାଷନ ପାଇଁ ବ୍ରୀଟିସ ଅମଳରୁ ହୋଇଥିବା ସାଇଫନ ଜୋର ଜବରଦଖଲ ହୋଇଯାଇଛି । ଅଳଭାଠାରେ ଥିବା ଜଳବିଶୋଧନ କାରାଖାନାରୁ ନିର୍ଗତ ବର୍ଜ୍ୟଜଳ ନିଷ୍କାସନ ହୋଇନପାରି ବିଲବାଡିରେ ମାଡୁଛି । ଫଳରେ ଅଳଭା ଗ୍ରାମରେ ବସବାସ କରୁଥିବା ଶତାଧିକ ପରିବାର ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ସଦାବେଳେ ବାଡିବଗିଚା ସନ୍ତସନ୍ତିଆ ରହିଥିବାରୁ ସଂକ୍ରମଣ ଆଂଶଙ୍ଖା ରହୁଛି । ଏନେଇ ବାରମ୍ବାର ଅଭିଯୋଗ ଦାବି ହେଉଥିଲେ ମଧ୍ୟ ସ୍ଥାନୀୟ ତହସିଲ କି ଜଳନିକାସ ବିଭାଗ କର୍ଣ୍ଣପାତ କରୁ ନାହିଁାନ୍ତି । ଯାହାକୁନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଆଇନଜିବୀ ଶୁଶିଲ ଦାଶ କୁହନ୍ତି ପଟ୍ଟାମୁଣ୍ଡାଇ ପୌରାଂଚଳ ୧୬ ନଂ ଓାର୍ଡ ଅଳଭାଗ୍ରାମ ଚତୃପାଶ୍ୱରେ ବ୍ରୀଟିସ ଅମଳରୁ ବ୍ରାହ୍ମଣୀ ଘେରିବନ୍ଧ ଓ ଗୋବରୀ କେନାଲ ଏବଂ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ଘେରି ରହିଛି । ଏହି ଘେରିର ଉଦବୃତ ବର୍ଷାଜଳ ନିଷ୍କାସନ ପାଇଁ ବ୍ରିଟିସ ସରକାର ଗୋବରୀ କେନାଲ ତଳେ ଏକ ସାଇଫନ ନିର୍ମାଣ କରିଥିଲେ । ଉଦବୃତ ଜଳ ଏହି ସାଇଫନରେ ନୟନଜୋର ଦେଇ ନିଷ୍କାସିତ ହେଉଥିଲା । ମାତ୍ର ଗତ କିଛିବର୍ଷ ହେବ କେତେକ ବ୍ୟକ୍ତି ଉକ୍ତ ଜୋର ଉପରେ ମାଟି ପକାଇ ଘର ନିର୍ମାଣକରି ରହୁଥିବାରୁ ସାଇଫନ ଜଳ ନିସ୍କାସନ ପଥ ବନ୍ଦ ପଡିଛିି। ଫଳରେ ଗ୍ରାମର ଶତାଧିକ ଏକର ଜମିବାଡି ପାଣିରେ ବୁଡି ନଷ୍ଟ ହେବାରେ ଲାଗିଛି। ବର୍ତମାନ ଉକ୍ତ ଯୋର ଜବରଦଖଲ ଯୋଗୁ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି।
ଶିକ୍ଷାବିତ ଗୋଲେଖ ଜେନା କୁହନ୍ତି ଯୋରଟି ଜଳସେଚନ ବିଭାଗ ଅଧୀନରେ ରହିଥିବା ବେଳେ ଏହାର ଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ କାଳକ୍ରମେ ଜବରଦଖଲ ହୋଇଗଲାଣି। ଫଳରେ ଉଦ୍ବତୃ ବର୍ଷାଜଳ ନିଷ୍କାସିତ ହୋଇପାରୁନାହିଁ। ସେହିପରି ରାଜ୍ୟ ସରକାର ୨୦୧୮-୨୦୧୯ରେ ଏହି ଘେରି ମଧ୍ୟରେ ଜଳବିଶୋଧନ କାରାଖାନାର ନିର୍ମାଣ କରିଛନ୍ତି। ସେଠାରୁ ବାହାରୁଥିବା ବର୍ଜ୍ୟଜଳ ନିଷ୍କାସନ ହୋଇନପାରି ବିଲବାଡିରେ ମାଡୁଛି ।ବର୍ଷାଦିନେ ସାଇଫନରେ ପାଣି ନିଷ୍କାସନ ହୋଇପାରୁନଥିବାରୁ ବର୍ଷାଜଳ ଘରେ ପସୁଛି। ଖରାଦିନିଆ ପନିପରିବା ଫସଲ ହେଉନାହିଁ । ବର୍ଷାଦିନରେ ଗ୍ରାମବାସୀଙ୍କ ଦୁଃଖର କାରଣ ପାଲୁଟିଛି। ଯୋର ଜବରଦଖଲରେ ପୋତି ହେବା ଦ୍ୱାରା ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପୁନରୁଦ୍ଧାର କରାଗଲେ ବିଶେଷ କରି ଚାଷୀମାନେ ଉପକୃତ ହୋଇପାରିବେ।
ସାମାଜିକକର୍ମୀ ବିଜ୍ଞାନ ମିହିର ଜେନା କୁହନ୍ତି ପଟ୍ଟାମୁଣ୍ଡାଇ ସଦର ରାଜସ୍ୱ ଅଧିକାରୀଙ୍କ ଅଧିନ କେନାଲ ବନ୍ଧ ରାସ୍ତାପାଶ୍ୱର୍ରେ ଥିବା ଜଳ ନିଷ୍କାସନ ନୟନଯୋରିକୁ ବହୁ ଅବରୋଧକାରୀ ଅବରୋଧ କରି ରଖିଛନ୍ତି । ଅଳଭା ଗ୍ରାମର ଅବ୍ୟବହୃତ ଜଳ ଏବଂ ୱାଟର ଟିଟମେଂଟ ପ୍ଲାଂଟର ୱୋଷ୍ଟେଜ ପାଣି ସାଇଫନ ଦେଇ ନିଷ୍କାସିତ ହେଇନପାରି ବିଲବାଡିରେ ଜମୁଛି । ଟିକିଏ ବର୍ଷାରେ ଏହି ଅଂଚଳ ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଉଛି। ବର୍ଷାଦିନେ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ିକୁ କୋମଳମତି ପିଲାମାନେ ଶିକ୍ଷାଦାନ ପାଇଁ ପାଣି ଯାଆନ୍ତି । ସବୁବେଳେ ପାଣିଜମି ସନ୍ତସନ୍ତିଆ ରହିବା ଫଳରେ ବହୁ ସମୟରେ ଲୋକେ ସଂକ୍ରମଣ ରୋଗରେ ଆକ୍ରାନ୍ତ ହେଉଥିବା ଦୃଷ୍ଟାନ୍ତ ମଧ୍ୟ ଅଛି। ସ୍ଥାନୀୟ ପ୍ରଶାସନ ତୁରନ୍ତ ଏହି ନୟନଜୋରୀକୁ ଜବରଦଖଲ କାରୀଙ୍କ କବଳରୁ ହଟାଇବା ପାଇଁ ଅଳଭା ଗ୍ରାମବାସୀ ଦାବୀ କରିଛନ୍ତି। ଏନେଇ ଜଳନିକାଶ ବିଭାଗ ଯନ୍ତ୍ରୀ ନିହାର ରାଉତରାୟଙ୍କୁ ପଚାରିବାରେ ଯୋରଟିର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି। କିନ୍ତୁ ଜବରଦଖଲ ଯୋଗୁ କିଛି କରି ହେଉନାହିଁ ବୋଲି ସେ କହିଛନ୍ତି।