ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ


କେନ୍ଦ୍ରାପଡ଼ା,୧୧ା୮ : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁସାସନ ବିରୋଧରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ସଂଯୋଜକ ଅକ୍ରୁର ପଲାଇ, ସହସଂଯୋଜକ ଦୋଳଗୋବିନ୍ଦ ସାହୁଙ୍କ ନେତୃତ୍ୱରେ ହୃଷିକେଶ ନାୟକ, ରାମଚନ୍ଦ୍ର ରାଉତ, ଜୟନ୍ତ ଲେଙ୍କା, ଦାଶରଥି ସାହୁ,ଅନ୍ତର୍ଯ୍ୟାମୀ କୁଣ୍ଡ, ପଟ୍ଟାମୁଣ୍ଡାଇ ବ୍ଲକ ସଂଯୋଜକ ଶିଶିର କୁମାର ଓଝା, ଉଦୟଭାନୁ ସାହୁ, କୁଳମଣି ଦାସ ଓ କେନ୍ଦ୍ରାପଡା ବ୍ଲକ ସଂଯୋଜକ ରବୀନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଶତାଧିକ ଚାଷୀ ଏହି ପ୍ରାୟଶ୍ଚିତ ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ । ବିଶେଷ କରି ଶିକ୍ଷା, ନିଯୁକ୍ତି, ଆଇନଶୃଙ୍ଖଳା ପ୍ରଭୃତି କ୍ଷେତ୍ରରେ ଓଡିଶାର ସ୍ଥିତି ଅତ୍ୟନ୍ତ ନୈରାଶଜନକ ବୋଲି ନବନିର୍ମାଣ କୃଷକ ସଂଗଠନ କହିଛି । ଏହାବ୍ୟତିତ ରାଜ୍ୟରେ ଚାଲିଥରବା ସମସ୍ତ ଉନ୍ନୟନ କାର୍ଯ୍ୟରେ ଆଖିବୁଜା ଦୁର୍ନୀତି ହେଉଛି । ଏଭଳିକି ପଞ୍ଚାୟତିରାଜ ବ୍ୟବସ୍ଥା ଠାରୁ ଜଳସେଚନ ଓ ଗ୍ରାମ୍ୟଉନ୍ନୟନ ବିଭାଗ ପ୍ରଭୃତିରେ ୨୫ପ୍ରତିଶତ ପିସି କାରବାର ଚାଲିଛି । ଶିକ୍ଷାନୁଷ୍ଠାନ ଗୁଡିକରେ ୫-ଟି ନାମରେ କୋଟି କୋଟି ଟଙ୍କା ପ୍ରଦାନ କରାଯାଉଥିଲେବି ଶିକ୍ଷାଦାନ କ୍ଷେତ୍ରରେ ଗୁଣାତ୍ମକମାନର ଅଭିବୃଦ୍ଧି ହେଉନାହିଁ କି ଶିକ୍ଷାନୁଷ୍ଠାନକୁ ଶିକ୍ଷକ ଯୋଗାଇ ଦିଆଯାଉନାହିଁ । ସ୍ୱାସ୍ଥ୍ୟସେବା ନାମରେ ମାସକୁ ଯେଉଁ ୧୦୦/୨୦୦କୋଟି ଅର୍ଥ ବରାଦ ହେଉଛି ତାହାର ସିଂହଭାଗ ଅର୍ଥ ଘରୋଇ ଡାକ୍ତରଖାନା ଗୁଡିକ ଜାଲିଆତି କରି ଲୁଟି ନେଉଛନ୍ତି । ତୁରନ୍ତ ଏହାର ସମାଧାନ ପାଇଁ ଏହି ବ୍ୟବସ୍ଥାର ଉଛେଦ କରାଯାଇ ସରକାରୀ ଡାକ୍ତରଖାନା ନିର୍ମାଣ କରାଯାଇ ଆବଶ୍ୟକ ଡାକ୍ତର,ଯନ୍ତ୍ରପାତି ଓ ଔଷଧ ଯୋଗାଇ ଦିଆଯାଉ । କୃଷି କ୍ଷେତ୍ରରେ ଚରମ ଅବହେଳା ହେଉଥିବାରୁ ଜଳସେଚନ, ଜଳ ନିଷ୍କାସନ, ଗୋଦାମ ଘର, ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରୀୟାକରଣ ଶିଳ୍ପ କିଛି ବି ହେଉନଥିବାରୁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛୁ । କୃଷିକ୍ଷେତ୍ରକୁ ବଞ୍ଚାଇବା ପାଇଁ ଅମୋଘ ଅସ୍ତ୍ର ଚାଷୀ ସୁରକ୍ଷା ଭତ୍ତା ମାସିକ ୫ହଜାର ଟଙ୍କା ପ୍ରଦାନ କରାଯାଉ । ଭାଗଚାଷୀଙ୍କ ସୁରକ୍ଷା, ଜମି,ଜଳ, ଜଙ୍ଗଲରେ ଆଦିବାସୀମାନଙ୍କ ଅଧିକାର ଦିଆଯାଉ । ଘରୋଇ ଟାଟା କମ୍ପାନୀର ଅଘୋଷିତ ବିଦ୍ୟୁତ ଦର ବୃଦ୍ଧି ଗ୍ରାମାଞ୍ଚଳରେ ହିଂସାକାଣ୍ଡ ବୃଦ୍ଧି କଲାଣି । ତୁରନ୍ତ ସରକାର ବିଦ୍ୟୁତ ବ୍ୟବସ୍ଥା ହାତକୁ ନିଅନ୍ତୁ । ଖଣିଜଦ୍ରବ୍ୟ, କୋଇଲା ଉତ୍ତୋଳିତ ହେଉଥିବା ଅଞ୍ଚଳବାସୀଙ୍କ ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ହୋଇଛି । ଖଣି, କୋଇଲା ଚୋରି ବନ୍ଦ ହେବା ସହିତ ଦୁର୍ନୀତିଗ୍ରସ୍ତଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ଏହି ଅଞ୍ଚଳବାସୀଙ୍କ ସ୍ୱାର୍ଥର ସୁରକ୍ଷା କରାଯିବାକୁ ସଂଗଠନ ଦାବି କରିଛି । ସତ୍ୟାଗ୍ରହ ଶେଷରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ୭ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା ।