
ଆଜି ଅପରାହ୍ନରେ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତରେ ୧ ମୃତ ୧ ଆହତ ହୋଇଥିବା ଜଣାପଡିଛି । ଗତକିଛି ଦିନ ଧରି ବର୍ଷା ଅଭାବରୁ ଚାଷ କାର୍ଯ୍ୟ ହୋଇପାରିନଥିଲା । ଆଜି ଅପରାହ୍ନ ୪ ଟା ସମୟରେ ପ୍ରବଳ ବର୍ଷା ହେବା ଫଳରେ ଚାଷ କାର୍ଯ୍ୟ ହୋଇପାରିବ ବୋଲି ଚାଷୀମାନେ ଆଶାବାଦୀ ହୋଇ ନିଜ ନିଜ ବିଲକୁ ଯାଇଥିଲେ । ତେବେ ବର୍ଷାକୁ ଦେଖି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପ୍ରଫୁଲ୍ଲ ସେଠୀ (୫୪) ଓ ଡମ୍ବରୁ ସେଠୀ (୫୮)ଚାଷକାମ ପାଇଁ ବିଲକୁ ଯାଇଥିଲେ । ବିଲରେ ଚାଷ କାମ କରୁଥିବାବେଳେ ହଠାତ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ବଜ୍ରପାତର ଶିକାର ହୋଇ ଉଭୟ ପ୍ରଫୁଲ୍ଲ ଓ ଡମ୍ବରୁ ଗୁରୁତର ହୋଇ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ହସ୍ପିଟାଲକୁ ଆସିଥିଲେ । ମାତ୍ର ଡାକ୍ତର ପ୍ରଫୁଲ୍ଲଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଥିବା ଡମ୍ବରୁଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ ପହଂଚି ଚିକିତ୍ସା ବ୍ୟବସ୍ଥା କରାଇବା ସହିତ ମୃତ ପରିବାରକୁ ସମବେଦନା ଜଣାଇଥିଲେ । ମୃତ ଓ ଆହତ ପରିବାରକୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବିଧାୟକ ସ୍ଥାନୀୟ ପ୍ରଶାସନକୁ ପରାମର୍ଶ ଦେଇଥିଲେ । ମୃତ ଓ ଆହତ ଚାଷୀ ଦୁଇ ଜଣ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବୀ ହେଉଛି ।