ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ କେନ୍ଦ୍ରାପଡା ବ୍ଲକ ଓ ନଗର ବିଜେଡିର ପ୍ରତିବାଦ ରାଜ୍ୟପାଳଙ୍କୁ ଦାବିପତ୍ର



କେନ୍ଦ୍ରାପଡା,୧ା୪: ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ପ୍ରତିବାଦ କରି ବ୍ଲକ ଓ ନଗର ବିଜୁ ଜନତା ଦଳ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଯେ ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇ ମାର୍ଚ୍ଚ ୫ ତାରିଖ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯିବ ନାହିଁ ବୋଲି ଗତକାଲି ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ଓଡିଶାର ବରପୁତ୍ର ତଥା ରାଷ୍ଟ୍ରନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ଭାବେ ମାର୍ଚ୍ଚ ୫ ତାରିଖରେ ପାଳନ କରାଯାଉଛି । ଏହି ନିଷ୍ପତ୍ତିର ପରିବର୍ତ୍ତନ ବିଜେଡି ସଦସ୍ୟ ତଥା ରାଜ୍ୟବାସୀଙ୍କୁ ଆଘାତ ଦେଇଛି । ଏହା ପଛରେ ରାଜନୈତିକ ଅଭିସନ୍ଧି ଅଛି । ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ଏହା ପରିଚୟ ଦେଇଛି । ଜନପ୍ରିୟ ବିଜୁ ବାବୁଙ୍କ ପ୍ରତି ଏହା ଅସୂୟାଭାବ ବ୍ୟତୀତ ଅନ୍ୟ କିଛି ନୁହେଁ । କେନ୍ଦ୍ରାପଡା ବ୍ଲକ ଓ ନଗର ବିଜୁ ଜନତା ଦଳ ଏହାର ଦୃଢ ପ୍ରତିବାଦ କରୁଛି । ଏପ୍ରିଲ୍ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯିବାର ନିଷ୍ପତ୍ତିକୁ ସେମାନେ ସ୍ୱାଗତ କରିଛନ୍ତି । କିନ୍ତୁ ମାର୍ଚ୍ଚ ୫ରେ ଆମ ରାଜ୍ୟରେ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ ନିଷ୍ପତ୍ତିର ପରିବର୍ତ୍ତନକୁ ସେମାନେ ରାଜ୍ୟବାସୀ ଗ୍ରହଣ କରିପାରିବେନାହିଁ ବୋଲି ସଚେତନତା କରିଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢୀକରଣ କ୍ଷେତ୍ରରେ ଓ ମହିଳାମାନଙ୍କୁ ଉପଯୁକ୍ତ ସମ୍ମାନ ସହ ସଶକ୍ତିକରଣ କରିବା କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଅତୁଳନୀୟ । ପ୍ରତ୍ୟେକ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦରେ ୫୦ ଭାଗ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷଣ ନିଷ୍ପତ୍ତି ଭାରତବର୍ଷରେ ପ୍ରଥମେ ବିଜୁ ବାବୁଙ୍କ ସରକାର ଗ୍ରହଣ କରିଥିଲେ । ଅଧିକନ୍ତୁ ୭୩ତମ ସମ୍ବିଧାନ ସଂଶୋଧନ ପୂର୍ବରୁ ପ୍ରତ୍ୟେକ ବ୍ଲକ, ମୁନିସିପାଲିଟି ଓ ପଞ୍ଚାୟତରେ କୌଣସି ମହିଳା ନଥିଲେ । ଜଣେ ଅତିରିକ୍ତ ନାଏବ ସରପଞ୍ଚ ଓ ଅତିରିକ୍ତ ଉପାଧ୍ୟକ୍ଷା ନିଯୁକ୍ତିର ନିଷ୍ପତ୍ତି ସମଗ୍ର ଭାରତବର୍ଷରେ ବିଜୁବାବୁ ହିଁ ଆଇନଗତ ବ୍ୟବସ୍ଥା କରିଥିଲେ । ତାଙ୍କର ଏହି ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଏ । ତେଣୁ ପୂର୍ବଭଳି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୫ ତାରିଖକୁ ରାଜ୍ୟ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବାକୁ କେନ୍ଦ୍ରାପଡା ବ୍ଲକ ଓ ନଗର ବିଜୁ ଜନତା ଦଳ ପକ୍ଷରୁ ଓଡିଶା ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତିି । ଦାବିପତ୍ର ସମୟରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା,ଜିଲ୍ଲା ବିଜେଡି ସଭାପତି ଧିରେନ କୁମାର ସାହୁ, ନଗରପାଳ ସରିତା ସାହୁ, ଜିଲ୍ଲା ପରିଷଦ ସଭାପତି ଦଳର ଲିଲିତା ଦାସ, କାଉନସିଲର କାଳୀପ୍ରସାଦ ମିଶ୍ର, ଆଲୋକ ସାହୁ, ହିରଣ୍ୟ କୁମାର ପଣ୍ଡା, ପ୍ରତାପ ମହାପାତ୍ର, ପ୍ରଦୀପ୍ତ ମହାନ୍ତି, ବିଚିତ୍ର ଲେଙ୍କା, ତପନ କୁମାର ଦାସ, ରଞ୍ଜିତ ରଞ୍ଜନ ସାହୁ, ପ୍ରକାଶ କୁମାର ସାହୁ, ରଶ୍ମିତା ସେଠୀ, ଏସ୍‌କେ ଅସଲାମ୍‌, ବିଜୟ ନାୟକ, ସମ୍ବିତ ଶ୍ରୀଚନ୍ଦନ, ସୋମନାଥ ଜେନା, ମୁକ୍ତା ଖାନ୍‌, ଧନଞ୍ଜୟ ମହାନ୍ତି, ସୁରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଶତାଧିକ ବିଜୁ ଜନତାଦଳ କର୍ମୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।