ପାଣି ଯୋଗୁଁ ଚାଷ କାମରେ ବାଧା ,ବିହନ ବୁଣୀ ବର୍ଷାକୁ ଚାହିଁଛି ଚାଷୀ


ପଟ୍ଟାମୁଣ୍ଡାଇ୨୮.୬-ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଁଚିବ । ଏହି ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ମାତ୍ର ଆଉ ଦିନକ ପରେ ଜୁଲାଇ ମାସ ଚାଲିବ । ଏ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ଅଂଚଳରେ ଟୋପଏ ବି ବର୍ଷା ହେଉନାହିଁ । ଦିନ ବେଳା କଳାହାଣ୍ଡିଆ ମେଘ ଉଠାଉଛି ପରେ ଉଭେଇ ଯାଉଛି । ଅକ୍ଷୟ ତୃତୀୟାରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରି ଜମିରେ ଚାଷ ଅନୁକୂଳ କରାଯିବା ସହ ହଳ କରାଯାଇ କ୍ଷେତରେ ତଳି ପକା କାର୍ଯ୍ୟ ଆରମ୍ଭ ହୁଏ । ରଜ ଉତ୍ସବ ପାଳନ ପରେ ଚାଷୀ ଚାଷ କାର୍ଯ୍ୟରେ ଲାଗିପଡେ । ମାତ୍ର ଚଳିତ ବର୍ଷ ବର୍ଷା ଦେଖା ନଥିବା ବେଳେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଏଥିରୁ ବାହାରି ଥିବା ଶାଖା କେନାଲଗୁୁଡ଼ିକ ବର୍ଷା ଋତୁ ପରଠାରୁ ପାଣି ଛଡା ଯାଇନାହିଁ । ଚାଷ ଅନୁକୂଳକୁ ନେଇ ଆଶଙ୍କାରେ ଦିନ କାଟୁଛି ଚାଷୀକୂଳ । ଚଳିତ ବର୍ଷ ମଧ୍ୟ ବିଲ ବେଉଷଣ ହୋଇ ଧାନ ବୁଣା ଓ ରୁଆ ଲାଗି ତଳି ପଡିବା କାମ ଚାଲିଛି । ହେଲେ ତଳି ପକାଇବା ପାଇଁ ଆବଶ୍ୟକ ପାଣି ହେଉନାହିଁ । ବର୍ଷାର ଲୁଚକାଳି ଖେଳ ଏବେ ଚାଷୀମାନଙ୍କ ମଧ୍ୟରେ ନିରାଶ ଭାବ ସୃଷ୍ଟି କରିଛି । ଗତ ସପ୍ତାହରୁ ଅଂଚଳରେ ମେଘୁଆ ପାଗ ଲାଗି ରହିବା ସହିତ ଦିନେ ଦୁଇ ଦିନ ଅନ୍ତରରେ ହେଉଥିବା ବର୍ଷା ଚାଷୀ ମନରେ କିଛି ମାତ୍ରାରେ ଆଶା ସଂଚାର କରୁଥିଲା । ଜୁନ ମାସ ଶେଷ ହେଲାଣି ମାତ୍ର ମୌସୁମୀ ବର୍ଷା ଦେଖା ନାହିଁ । ଜଳବାୟୁର ଏଭଳି ପରିବର୍ତନ ଏବେ ଚାଷୀକୁଳ ପାଇଁ କାଳ ସାଜିଛି । ବର୍ଷା ଅଭାବରୁ ପଟ୍ଟାମୁଣ୍ଡାଇ ଅଂଳରେ ଅଧାରୁ ଅଧିକ ଜମିରେ ଗଜା ମରୁଡ଼ିର ପଦଧ୍ୱନି ଶୁଣିବାକୁ ମିଳିଲାଣି । ଜମିରେ ପାଣି ନ ଥିବାରୁ କେଉଁଠି ତଳି ପଡି ପାରୁନାହିଁ ତ ଆଉ କେଉଁଠି ଧାନ ବୁଣା ସାରି ବର୍ଷାକୁ ଚାହିଁ ରହିଛି ଚାଷୀ । କେନାଲରେ ପାଣି ଆସୁ ନ ଥିବାରୁ କେତେକ ସ୍ଥାନରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । କୁଅରୁ ମଟରରେ ବିଲକୁ ପାଣି ମଡ଼ାଇ ଚାଷୀ ତଳି ପକାଉଛନ୍ତି । କୃଷକ ନେତା ବିଜୟ ଦାସ କହିଛନ୍ତି ଯେ, ଚଳିତ ବର୍ଷ ରାଜ୍ୟକୁ ଠିକ୍ ସମୟରେ ମୌସୁମୀ ଅସିଥିବାରୁ ଚାଷୀକୂଳରେ ଆନନ୍ଦ ପ୍ରକାଶ ପାଇଥିଲା । ରାଜ୍ୟରେ ମୌସୁମୀ ପ୍ରବେଶ ପରେ ପରେ ଅଂଚଳରେ ଟିପିଟିପି ବର୍ଷା ହୋଇଯାଇଥିବାରୁ ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରି ଧାନ ତଳି ପକାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହି ମୌସୁମୀ ବର୍ଷାରେ ଅନେକ ଚାଷୀମାନେ ଜମିରେ ତଳି ଘେରା ପ୍ରସ୍ତୁତି କରିଛନ୍ତି । ମାତ୍ର ଏବେ ବର୍ଷାର ଲୁଚକାଳି ଖେଳ ଯୋଗୁଁ ଚାଷୀ ମହଲରେ ଚିନ୍ତା ପ୍ରକାଶ ପାଇଛି । ପୋଖରୀ ଗଡିଆ ପାଖରେ ଥିବା ଜମିରେ ମଟର ଲଗାଇ ପାଣି ମଡ଼ାଇ ଚାଷୀ ତଳି ପକାଉଛନ୍ତି । ପ୍ରତ୍ୟେକ ବର୍ଷ ରଜ ପୂର୍ବରୁ ତଳିଗୁଡ଼ିକ ୫ ଇଂଚ ବଢ଼ି ଯାଇଥାଏ । ମାତ୍ର ଏବେ ଜୁନ ମାସ ଶେଷ ହେବାକୁ ବସିଲାଣି । ପାଣି ଅଭାବରୁ ଭୂଇଁରୁ ଧାନ ଗଜା ବାହାରି ପାରୁନି । ବୁଣା ଧାନରେ ଏତେ ବେଳକୁ ଲଙ୍ଗଳ ମରା ଓ ପ୍ରଥମ ପିଡ଼ିଆ ମରାଯିବା କଥା । କିନ୍ତୁ ପାଣି ନଥିବାରୁ ତଳି ଅନେକ ସ୍ଥାନରେ ପାଚି ଯାଇଥିବା ଦେଖିବାକୁ ମିଳିଛି । ଶୁଖିଲା ଚାଷ ହୋଇଥିବା ଜମିରେ ପାଣି ଅଭାବରୁ ଘାସ ମାଡ଼ିଯାଇଛି । ଆଗକୁ ଯଦି ସଠିକ ଭାବରେ ବର୍ଷା ନ ହୁଏ ତେବେ ଫସଲ ହାନି ହେବାର ଏକ ପ୍ରକାରର ସୁନିଶ୍ଚିତ ବୋଲି ଚାଷୀ ସେ ପ୍ରକାଶ କରିଛନ୍ତି । ଅପରପକ୍ଷରେ ପଟ୍ଟାମୁଣ୍ଡାଇ କେନାଲ ଓ ଏହାର ଶାଖା କେନାଲରେ ପାଣି ଆସିବା ବିଳମ୍ବ ହେଉଛି । କେନାଲ ଗଛ, ଘାସ, ଲତା ଓ ଦଳରେ ପୋତି ହେଇ ପଡ଼ିଛି । ଫଳରେ କେନାଲରେ ପାଣି ଆସିଲେ ବିଲରେ ପହଁଚିଂବାକୁ ନେଇ ଅଶଙ୍କା ପ୍ରକାଶ ପାଇଛି । ଏହି ଅଂଚଳରେ କେତେକ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପ ରହିଛି । ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ଅନେକ ସ୍ଥାନରେ ଅଚଳ ଅବସ୍ଥାରେ ପଡି ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଅଚଳ ପ୍ରକଳ୍ପଗୁଡିକୁ ସଚଳ କରିବା ପାଇଁ ତତ୍ପରତା ପ୍ରକାଶ କରୁ ନାହାଁନ୍ତି । ପର୍ଯ୍ୟାପ୍ତ ଜଳସେଚନର ସୁବିଧା ନ ଥିବାରୁ ଚାଷୀମାନେ ଅନେକ ସ୍ଥାନରେ ପାରମ୍ପାରିକ ଧାନ ଚାଷ କରିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି । କୃଷି ବିଭାଗ ଓ କୃଷକମାନଙ୍କ ମଧ୍ୟରେ ଅନେକ ସମୟରେ ସମନ୍ୱୟର ଅଭାବ ପରିଲକ୍ଷିତ ହେଉଛି । ଚାଷୀମାନେ ଠିକ୍ ସମୟରେ ଆବଶ୍ୟକ କରୁଥିବା ବିହନ ଓ ରସାୟନିକ ସାର ପାଇ ପାରୁ ନାହାଁନ୍ତି । କୃଷି କ୍ଷେତ୍ର ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ନୂଆ ନୂଆ ଯୋଜନା ଓ କୃଷି ପ୍ରଣାଳୀ ସମ୍ପର୍କରେ କୃଷକମାନେ ଜାଣି ପାରୁ ନାହାଁନ୍ତି । କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ମଧ୍ୟରେ ଆଧୁନିକ ଚାଷ ପ୍ରଣାଳୀ ସମ୍ପର୍କରେ ସଚେତନତା କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ମାତ୍ର ବ୍ଲକ କୃଷି କାର୍ଯ୍ୟାଳୟରେ ଆବଶ୍ୟକ କୃଷି କର୍ମଚାରୀମାନଙ୍କର ଅଭାବ ରହିଥିବାରୁ ଏହା ବିଷେଶ ଭାବରେ ଫଳପ୍ରଦ ହୋଇ ପାରୁ ନାହିଁ । କୃଷିର ବିକାଶ ଲାଗି ସରକାର ପଦକ୍ଷେପ ନେବା ପାଇଁ ଚାଷୀ ସୁଶାନ୍ତ ସାମଲ ,ପ୍ରଭାକର ସେଠୀ, ରଞ୍ଜିତ ପ୍ରଧାନ , ପ୍ରଦୀପ ନାୟକ,ସନ୍ତୋଷ ଭଳ ,ପାରେଶ୍ୱର ସେଠୀ,ଅଭୟ ବଳ,ସୁଧିର ଦାସ, ଭିକାରି ବାଇ ପ୍ରମୁଖ ଦାବି କରିଛନ୍ତି । ପଟ୍ଟାମୁଣ୍ଡାଇ କୃଷି ବିଭାଗ ଅତିରିକ୍ତ କୃଷି ଅଧିକାରୀ ସରତ ନାୟକଙ୍କୁ ଯୋଗାଯୋଗ କରିବାରେ ଚଳିତ ଋତୁରେ ୧୦୪୦୦ ହେକ୍ଟର ଜମିରେ ଖରିଫ ଫସଲ ହେବା ଲକ୍ଷ୍ୟ ରଖାଯାଇଛି । ୨୦୦ ହେକ୍ଟର ଜମିରେ ଧାନ ବୁଣା ହେବି । ୭୦୦ହେକ୍ଟର ଜମିରେ ତଳି ପଡ଼ିବାକୁ ଥିବାବେଳେ ୮୦ ହେକ୍ଟର ଜମିରେ ତଳି ପଡ଼ିଛି । କିନ୍ତୁ ପାଣି ଯୋଗୁଁ ଚାଷ କାମରେ ବାଧା ଉପୁଜିଥିବା ନାୟକ ସୂଚନା ଦେଇଛନ୍ତି ।