
ପଟ୍ଟାମୁଣ୍ଡାଇ ୨୯.୬-ପଟ୍ଟାମୁଣ୍ଡାଇ ପୋଖରୀଆପଡା ସ୍ଥିତ ପତିତପାବନଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ବଳଭଦ୍ର, ଜଗନ୍ନାଥ, ମା ସୁଭଦ୍ରା ଓ ସୁଦର୍ଶନ ଚତୁର୍ଦ୍ଧା ମୂର୍ତିଙ୍କ ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଥିଲା । ଗତକାଲି ଶ୍ରୀଜୀଉମାନେ ବକ୍ତାରପୁରସ୍ଥିତ ମାଉସୀମା ମନ୍ଦିରରୁ ବାହୁଡା ଯାତ୍ରାରେ ଆସିବା ପରେ ଚତୁର୍ଦ୍ଧା ମୂର୍ତିଙ୍କୁ ନେଇ ଆସିଥିବା ନନ୍ଦିଘୋଷଙ୍କ ପ୍ରତୀକ ରଥ ପତିତପାବନ ମନ୍ଦିର ସମ୍ମୁଖରେ ଅଟକିଥିଲା । ଆଜି ସକାଳୁ ଶ୍ରୀଜୀଉମାନଙ୍କ ମଙ୍ଗଳା ଆଳତୀ, ବାଳଧୂପ, ନୈବିଦ୍ୟ ଓ ସମସ୍ତ ନୀତିକାନ୍ତି ବୈଦିକ ରୀତିନୀତିରେ ସଂପନ୍ନ ହୋଇଥିଲା । ମଧ୍ୟାହ୍ନ ଧୂପ ପରେ ରଥ ଉପରେ ଶ୍ରୀଜୀଉମାନଙ୍କ ପହୁଡ ପଡିଥିଲା । ଅପରାହ୍ନ ୪ଟା ସମୟରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା । ପତିତପାବନ ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ, ସଂପାଦକ ନରହରି ଲେଙ୍କା, ତ୍ରିଲୋଚନ ସୂତାର, ଶୁକଦେବ ସ୍ୱାଇଁ, ପତିତପାବନଙ୍କ ମୁଖ୍ୟପୂଜକ ପର୍ଶୁରାମ ଦାଶ, ପୂଜକ ସନ୍ତୋଷ କୁମାର ଦାଶଙ୍କ ତତ୍ୱାବଧାନ ଓ ଦଇତାପତି ସଂଘ ସଭାପତି ସୁଶୁଲ ପାଠୀଙ୍କ ନେତୃତ୍ୱରେ ଦଇତାପତି ବଳରାମ ଦାଶ,ଚିତରଞନ ଦାଶ, ତପନ କୁମାର ବାରିକ, ସଞୟ କୁମାର ଦାଶ, ଅଭିଜିତ ଦାଶ, ମନିଷ କୁମାର ପଣ୍ଡା, ମନୋରଞନ ପରିଡା, ପ୍ରସନ୍ନଜିତ ପଣ୍ଡା ପ୍ରମୁଖ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ମା ସୁଭଦ୍ରାଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ । ରଥ ଉପରେ ପତିତପାବନଙ୍କ ସୁନାବେଶ ଦେଖିବାକୁ ପଟ୍ଟାମୁଣ୍ଡାଇ ଓ ଆଖପାଖ ଅଚଂଳର ଶତାଧିକ ଭକ୍ତଙ୍କ ସମାବେଶ ହୋଇଥିଲା । ବଡମୂଳବସନ୍ତ-ନସିପୁରସ୍ଥିତ ଗୋପାଳ ଦାଶ ସ୍ମାରକୀ ସାଂସ୍କୃତିକ ସଂଗଠନ (ଗଡମେକର) ପକ୍ଷରୁ ସଭାପତି ସୁଶାନ୍ତ କୁମାର ପାଣିଙ୍କ ସଂଯୋଜନାରେ କଳାକାରମାନେ ଭକ୍ତି ସଂଗୀତ ପରିବେଷଣ କରିଥିଲେ ।