
କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ଲୋକନାଥପୁର ଗ୍ରାମର ନଅ ବର୍ଷର ବାଳକ ରବିବାର ସନ୍ଧ୍ୟାରେ ବିଦ୍ୟୁତ୍ ଖୁଂଟରେ ନିର୍ମିତ ପୋଲରୁ ଖସିପଡ଼ିବା ପରେ କେନାଲରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ମୃତକ ହେଲେ ହେମନ୍ତ ଜେନାଙ୍କ ପୁଅ ନାମ ଅଭିନ୍ନ ଜେନା ବୋଲି ଜଣାପଡିଛି ।
ପ୍ରକାଶ ଯେ ତୃତୀୟ ଶ୍ରେଣୀର ଛାତ୍ର ଅଭିନ୍ନ ରବିବାର ସନ୍ଧ୍ୟାରେ ବିସ୍କୁଟ କିଣିବାକୁ ଗାଁ ବଜାରକୁ ଯାଇଥିଲେ । ଗୋବରୀ ସମ୍ପ୍ରସାରିତ କେନାଲରୁ ବାହାରି ଥିବା ୧ନଂ କେନାଲ ପାର ହେଉଥିବା ବେଳେ ସେ ହଠାତ୍ ଅସୁରକ୍ଷିତ ସିମେଂଟ ପୋଲ ବ୍ରିଜରୁ ଖସିପଡି ପାଣିରେ ପଡ଼ିଯାଇଥିଲେ । ରାତିରେ ଯେତେବେଳେ ଅଭିନ୍ନ ଘରକୁ ଫେରି ନଥିଲେ, ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଖୋଜିବା ଆରମ୍ଭ କରି ପାଇନଥିଲେ । ପରେ ଗ୍ରାମବାସୀ ବାଳକର ମୃତଦେହ କେନାଲରେ ଭାସୁଥିବା ଦେଖିଥିଲେ । ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଲୋକନାଥପୁରର ଗ୍ରାମବାସୀ ନଗେନ୍ଦ୍ର ଜେନା କହିଛନ୍ତି ଯେ ସ୍ଥାନୀୟ ଲୋକମାନେ ପ୍ରତିଦିନ ଏହି ସିମେଂଟ ପୋଲ ବ୍ୟବହାର କରି ଯିବା ଆସିବା କରିଥାନ୍ତି । ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ଏହି କେନାଲ ପାର ହୋଇଥାନ୍ତି । ଯଦିଓ ଏହା ଅସୁରକ୍ଷିତ, ତଥାପି ପୋଲ ବ୍ୟବହାର କରିବା ବ୍ୟତୀତ ଆମର କୌଣସି ବିକଳ୍ପ ନାହିଁ । କାରଣ ପ୍ରଶାସନ ଏପର୍ଯ୍ୟନ୍ତ ଏଠାରେ ଏକ ସେତୁ ନିର୍ମାଣ କରୁନାହିଁ । ପ୍ରତିଦିନ ଗ୍ରାମବାସୀ କେନ୍ଦ୍ରାପଡା,ପଟ୍ଟାମୁଣ୍ଡାଇ ବଜାରରେ ପହଁଚିବା ପାଇଁ ଏହି ସେତୁ ବ୍ୟବହାର କରନ୍ତି । ପିଲାମାନେ ବିଦ୍ୟାଳୟକୁ ଯିିବା ଏବଂ ଘରକୁ ଫେରିବା ପାଇଁ ଏହି ପୋଲ ବ୍ୟବହାର କରି କେନାଲ ପାର ହୋଇଥାନ୍ତି ବୋଲି ସେ କହିଛନ୍ତି ।
ଗାଁର ଷଷ୍ଠ ଶ୍ରେଣୀର ଛାତ୍ର ରଂଜନ ରାଉତ କହିଛନ୍ତି, “ଆମେ ସିମେଂଟ ପୋଲ ଉପରେ କେନାଲ ପାର ହେବାକୁ ଭୟ କରୁଛୁ । କିନ୍ତୁ ଏହାର କୌଣସି ବିକଳ୍ପ ନାହିଁ । କେନାଲ ପାର ହେବା ସମୟରେ ଜଣେ ବୟସ୍କ ବ୍ୟକ୍ତି ସର୍ବଦା ଆମ ସହିତ ଯାଆନ୍ତି ।
ଗ୍ରାମବାସୀ ସଗ୍ରାମ ଜେନା କହିଛନ୍ତି ଲୋକନାଥପୁରର ପ୍ରାୟ ୭୦୦ ଲୋକ କେନାଲ ପାର ହେବା ପାଇଁ ଏହି ସିମେଂଟ ପୋଲ ଉପରେ ନିର୍ଭର କରନ୍ତି । ଗତ ନିର୍ବାଚନ ସମୟରେ ଶାସକ ବିଜେଡି ନେତାମାନେ କେନାଲ ଉପରେ ଏକ ସେତୁ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ । ଆମେ ଆଶା କରୁଛୁ ଅଭିନ୍ନଙ୍କ ମୃତ୍ୟୁ ସ୍ଥାନୀୟ ରାଜନେତା ତଥା ପ୍ରଶାସନର ଆଖି ଖୋଲିବ ଏବଂ ପ୍ରତିଦିନ ଆମେ ସମ୍ମୁଖୀନ ହେଉଥିବା ବିପଦକୁ ଦେଖି କେନାଲ ଉପରେ ଉପଯୁକ୍ତ ସେତୁ ନିର୍ମାଣ ପାଇଁ ରାସ୍ତା ପ୍ରସ୍ତୁତ କରିବେ ବୋଲି ସେ କହିଛନ୍ତିି ।
ଗଙ୍ଗାରାମପୁର ପଂଚାୟତର ସରପଂଚ ସନ୍ତୋସିନି ଜେନା କହିଛନ୍ତି, ନିକଟରେ ଆମେ ଲୋକନାଥପୁର ଗାଁର ପରିସ୍ଥିତି ସମ୍ପର୍କରେ ବ୍ଲକ ବିକାଶ ଅଧିକାରୀଙ୍କ ସହ ଆଲୋଚନା କରିଥିଲୁ । ଖୁବ୍ ଶୀଘ୍ର ପଟ୍ଟାମୁଣ୍ଡାଇ ୧ନଂ କେନାଲରେ ଏକ ସେତୁ ନିର୍ମାଣ କରିବାକୁ ପ୍ରଶାସନ ଆମକୁ ଆଶ୍ୱାସନା ଦେଇଛି ।