
ପଟ୍ଟାମୁଣ୍ଡାଇ ୪.୭-ତିନିଦିନ ତଳୁ ନିଖୋଜ ଥିବା ଯୁବକର ମୃତ ଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି । ପରିବାର ପକ୍ଷରୁ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ତନୁପୁର ନନ୍ଦିନଗର ଗାଁର ଶୁକଦେବ ପାତ୍ରଙ୍କ ପୁଅ ନାରାୟଣ ପାତ୍ର (୨୮) ଗତ ତିନି ଦିନ ତଳୁ ନିଖୋଜ ଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ମଙ୍ଗଳବାର ଆଳି ମାଣିକପାଟଣା ନିକଟ ବ୍ରାହ୍ମଣୀ ନଦୀରେ ନାରାୟଣଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିବା ସହ ପୋଲିସକୁ ଖବର ଦେଇଥିଲେ । ତେବେ ମୃତ ନାରାୟଣଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ କଳା ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ବୋଲି ଗ୍ରାମ ବାସୀ କହିଛନ୍ତି । ଅନ୍ୟପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।