କେନ୍ଦ୍ରାପଡା ପୁର୍ତ୍ତ ବିଭାଗରେ ଅଧିକ୍ଷଣ ଯନ୍ତ୍ରୀ ପଦବୀ ଖାଲି, ବିକାଶ ଅଧାବାଟରେ


କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲାରେ ଅନେକ ପଦବୀରେ କର୍ମଚାରୀ ନ ଥିବାରୁ କାର୍ଯରେ ବାଧା ଦେଖାଦେଇଛି । ଜଣେ ଅଧିକାରୀଙ୍କୁ ଏକାଧିକ ବିଭାଗର ଦାୟିତ୍ତ୍ୱ ଦିଆଯାଇଛି । ଯନ୍ତ୍ରୀମାନଙ୍କୁ ଏକାଧିକ ଦାୟିତ୍ତ୍ୱ ଦିଆଯାଇଥିବାରୁ ସଠିକ ଭାବେ କାର୍ଯ୍ୟର ତଦାରଖ କରାଯାଇପାରୁନାହିଁ । ଯାହା ଫଳରେ ବିକାଶରେ ବାଧା ଦେଖାଦେଇଛି ।

କେନ୍ଦ୍ରାପଡା ପୁର୍ତ୍ତ ବିଭାଗ-୧ ଅଧିକ୍ଷଣ ଯନ୍ତ୍ରୀ କ୍ଷିରୋଦ ଚନ୍ଦ୍ର ବେହେରା ଏବଂ ସହକାରୀ ଯନ୍ତ୍ରୀ ପ୍ରଶନ୍ନ କୁମାର ସାମଲଙ୍କୁ ଦୁଇମାସ ପୂର୍ବେ ଏକ ସେତୁ ଭୁଷୁଡିବା ଘଟଣାରେ କାର୍ଯ୍ୟରୁ ନିଳମ୍ବନ କରାଯାଇଥିଲା । କେନ୍ଦ୍ରାପଡା ପୁର୍ତ୍ତ ବିଭାଗ-୨ର ଅଧିକ୍ଷଣ ଯନ୍ତ୍ରୀ ସରୋଜ ନାୟକଙ୍କୁ କେନ୍ଦ୍ରାପଡା ପୁର୍ତ୍ତ ବିଭାଗ-୧ର ଦାୟିତ୍ତ୍ୱ ଦିଆଯାଇଛି । ଯନ୍ତ୍ରୀ ଶ୍ରୀ ନାୟକ ଆଉ କେଇ ମାସରେ ଅବସର ନେବାକୁ ଯାଉଛନ୍ତି । ଶ୍ରୀ ନାୟକଙ୍କ ଅବସର ପରେ କାର୍ଯ୍ୟ କିପରି ହେବ ସେ ନେଇ କାହାର ଚିନ୍ତା ନାହିଁ । ଜିଲ୍ଲାର ଅନେକ ରାସ୍ତା, ସେତୁ ଏବଂ ଗୃହ ନିର୍ମାଣ ଚାଲିଛି । ଜଣେ ଜଣେ ଯନ୍ତ୍ରୀ ଏକାଧିକ ଦାୟି୍‌ତ୍ତ୍ୱରେ ଥିବାରୁ କାର୍ଯ୍ୟସ୍ଥଳକୁ ଯାଇପାରୁ ନାହାନ୍ତି । ଟେଣ୍ଡର ହୋଇଥିବା ପ୍ରକଳ୍ପର କାର୍ଯ୍ୟାଦେଶ ଦିଆଯାଇପାରୁ ନାହିଁ । ଦୁଇମାସରୁ ଅଧିକ ଖାଲି ପଡିଥିବା ପୁର୍ତ୍ତ ବିଭାଗ-୧ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିଯୁକ୍ତି ମିଳୁନାହିଁ । କେନ୍ଦ୍ରାପଡା ଗୋବରୀ ବାଇପାସ ରାସ୍ତା ନିର୍ମାଣ ଅଧାରୁ ଅଟକି ଯାଇଛି । ସେହିପରି କେନ୍ଦ୍ରାପଡା ଇନ୍‌ଡୋର ଷ୍ଟାଣ୍ଡିୟମ, କେନ୍ଦ୍ରାପଡା ବସଷ୍ଟାଣ୍ଡ ସମେତ ବିଭିନ୍ନ ସେତୁର ନିର୍ମାଣ କାର୍ଯ୍ୟ ଧିମେଇ ଯାଇଛି । ଜିଲ୍ଲାର ବିକାଶ ପାଇଁ କୋଟି କୋଟି ଟଙ୍କା ଜମାଥିବା ବେଳେ ଏହାକୁ ଯନ୍ତ୍ରୀ ଅଭାବରୁ ବିନିଯୋଗ କରାଯାଇପାରୁ ନାହିଁ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।