ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତକୁ ୨ବର୍ଷ ଜେଲଦଣ୍ଡ


କେନ୍ଦ୍ରାପଡ଼ା, ୭ା୭: ଜନୈକ ୧୫ବର୍ଷୀୟ ନାବାଳିକାକୁ ଭଲପାଇବାର ଅଭିନୟ କରି ଜୋରଜବରଦସ୍ତ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତ ପଟ୍ଟାମୁଣ୍ଡାଇ ଥାନା ଅଧିନ ଏକ ଗ୍ରାମର ବୁଲୁ ମଳିକକୁ କେନ୍ଦ୍ରାପଡା ଆଡହକ ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଅଦାଲତର ଜଜ ତ୍ରିବିକ୍ରମ କେଶରୀ ଚିନ୍ନାରା ୨ବର୍ଷ ଜେଲଦଣ୍ଡ ସହିତ ୫ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ବୀବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ନାବାଳିକା ନିକଟସ୍ଥ ନାଳବନ୍ଧକୁ ଗତ ୨୦୧୦ ମସିହା ନଭେମ୍ବର ମାସ ୨୫ ତାରିଖ ସକାଳେ ଶୈାଚ ହେବାକୁ ଆସିଥିବା ବେଳେ ସେହି ଥାନା ଅନ୍ତର୍ଗତ ଏକ ଗ୍ରାମର ବୁଲୁ ମଳିକ ତାକୁ ବିବାହର ପ୍ରଲୋଭନ ଦେଖାଇ ଜୋରଜବରଦସ୍ତ ଏକ ବାଇକରେ ଉଠାଇ ନେଇ ନୋଟାରୀରେ ଜବରଦସ୍ତ ବିବାହ କରିଥିଲା । ଏହାପରେ ପିଡିତା ନାବାଳିକାକୁ ଏକ ନିଛାଟିଆ ସ୍ଥାନକୁ ନେଇ ତତେ ଭଲପାଉଛି କହି ଅସଦାଚରଣ କରିଥିଲେ । ସଂପୃକ୍ତ ନାବାଳିକା କାନ୍ଦି ଯେତେ ପ୍ରତିବାଦ କଲେବି ଆସାମୀ ଶୁଣି ନଥିଲା । ଏସମ୍ପର୍କରେ ପିଡିତା ନାବାଳିକାର ପିତାଙ୍କ ଅଭିଯୋଗ କ୍ରମେ ପଟ୍ଟାମୁଣ୍ଡାଇ ଥାନାରେ ଥାନା କେଶ ନମ୍ବର ୨୩୭/୨୦୧୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ କୋର୍ଟରେ ଫାଇନାଲ ରିପୋର୍ଟ ଦାଖଲ କରିବା ପରେ ଏସଟି କେଶ ନମ୍ବର- ୬/୨୦୧୨ରେ କୋର୍ଟରେ ସେହି ଘଟଣାର ଶୁଣାଣୀ ଚାଲିଥିଲା । ୧୨ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ସେହି ମାମଲାର ବିଚାର କରି କେନ୍ଦ୍ରାପଡା ଆଡହକ ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଅଦାଲତର ଜଜ ଶ୍ରୀ ଚିନ୍ନାରା ଶୁକ୍ରବାର ଆସାମୀ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବୁଲୁ ମଳିକକୁ ଆଇ.ପି.ସି.ର ୩୪୪ ଓ ୩୫୪ଦଫାରେ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେଇ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରୀ ଓକିଲ ସଞ୍ଜୟ କୁମାର ଜେନା ଅଦାଲତରେ ସରକାରଙ୍କ ପକ୍ଷରୁ ଏହି ମାମଲାର ପରିଚାଳନା କରୁଥିଲେ ।